DistrictMalkangiriNationOdisha

ଜିଲ୍ଲାସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ବୈଠକ

ମାଲକାନଗିରି, ୨୬/୮: ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରି କହିଥିଲେ ଅନୁସୂଚିତ ଜନଜାତି ମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ “ଆଦି କର୍ମଯୋଗୀ ଅଭିଯାନ” ନାମରେ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଚଳିତ ବର୍ଷ ତଥା ୨୦୨୫ ଅଗଷ୍ଟ ମାସରୁ ଓଡିଶାର ୨୨ଗୋଟି ଜିଲ୍ଲାରେ କାର୍ଯକାରୀ ହେବାକୁ ଯାଉଛି ।
ଏହି ଜିଲ୍ଲାମାନଙ୍କ ଭିତରେ ଆମ ମାଲକାନାଗିରି ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଆମ ଜିଲ୍ଲାର ୭ ଗୋଟି ବ୍ଲକର ୪୨୫ ଗୋଟି ଆଦିବାସୀ ବହୁଳ ଗ୍ରାମରେ ଯଥା ଚିତ୍ରକୋଣ୍ଡା ବ୍ଲକ୍ ର ୧୧୩ ଟି ଗ୍ରାମ, ମାଥିଲି ବ୍ଲକ୍ ର ୧୧୬ ଟି ଗ୍ରାମ, ଖଇରପୁଟ ବ୍ଲକର ୮୧ ଟି ଗ୍ରାମ, କାଲିମେଳା ବ୍ଲକ୍ ର ୩୩ ଟି ଗ୍ରାମ, ମାଲକାନଗିରି ବ୍ଲକ୍ ର ୪୭, ପଡ଼ିଆ ବ୍ଲକ୍ ର ୧୮ ଟି ଗ୍ରାମ ଓ କୋରୁକୋଣ୍ଡା ବ୍ଳକ୍ ର ୧୭ ଟି ଗ୍ରାମରେ ଏହି ଅଭିଯାନର ସଫଳ ରୂପାୟନ ହେବାକୁ ଯାଉଛି । ଏହି ୭ ଗୋଟି ବ୍ଲକ୍ ର ୭୦ ହଜାର ୯୯୬ ଗୃହ ର ୩ ଲକ୍ଷ ୧୫ ହଜାର ୯୩୮ ଜଣ ଲୋକ ଜନଜାତି ଅନ୍ତର୍ଭୁକ୍ତ ହେବେ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଓ ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଗତ ଅକ୍ଟୋବର ୦୨ ତାରିଖରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA) ର ଶୁଭାରମ୍ଭ କରାଯାଇଥିଲା। ଆଦି କର୍ମଯୋଗୀ ଅଭିଯାନ ଏହି ଯୋଜନାର ପୂର୍ଣ୍ଣାଙ୍ଗ ପରିପ୍ରକାଶ। ଏହି ଅଭିଯାନ ମାଧ୍ୟମରେ ଶିକ୍ଷା, ସାସ୍ଥ୍ୟ, ଗମନାଗମନ, ପଂଚାୟତ ଓ ପାନୀୟଜଳ, ଗ୍ରାମ ଉନ୍ନୟନ, କୃଷି, ମହିଳା ଓ ଶିଶୁ ବିକାଶ, ଜଙ୍ଗଲ ପରିବେଶ ଓ ସର୍ବୋପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସହଭାଗିତାରେ ଅନୁସୂଚିତ ଜନଜାତି ବହୁଳ ଗ୍ରାମ ମାନଙ୍କରେ ତୃଣମୂଳ ସ୍ତରରେ ପ୍ରଶାସନକୁ ପହଁଚାଇବା ସହିତ ସମସ୍ତ ସରକାରଙ୍କର ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର ଓ ଅତ୍ୟାବଶ୍ୟକ ସେବାର ଉପଲବ୍ଧ କରାଇବା ପାଇଁ ୭ ଟି ବ୍ଲକ୍ ରେ ପ୍ରାୟ ୫୦ ହଜାର ଆଦିବାସୀ କ୍ୟାଡର ସୃଷ୍ଟି କରା‌ଯିବ । ଏମାନଙ୍କୁ ଆଦି କର୍ମଯୋଗୀ, ଆଦି ସହଯୋଗୀ ଏବଂ ଆଦି ସାଥୀ ନାମରେ ଅବିହିତ କରାଯାଇ ସରକାର ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ସେତୁ ସୃଷ୍ଟି କରାଯିବ ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ।
ଏହି ସବୁ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଏକ ସେବା କେନ୍ଦ୍ର ଚିହ୍ନଟ କରାଯିବ । ସାଧାରଣ ଭାବରେ ସ୍ଥାନୀୟ ଅଙ୍ଗନୱାଡ଼ୀ କେନ୍ଦ୍ର, ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଏହି ସେବା କେନ୍ଦ୍ର କାର୍ଯ୍ୟକରିବ। ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା, ବ୍ଳକ, ଗ୍ରାମପଂଚାୟତ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ ପରେ ଏହି ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରି ପ୍ରତ୍ୟେକ ଗ୍ରାମ ନିମନ୍ତେ ଏକ ଗ୍ରାମ୍ୟ କାର୍ଯ୍ୟ ଖସଡ଼ା (Village Action Plan) ପ୍ରସ୍ତୁତ କରାଯିବ ଏବଂ ତଦନୁଯାୟୀ କାର୍ଯ୍ୟର ସଫଳ ରୂପାୟନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।
ଏହି ବୈଠକରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବୈଠକ ର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ଓରଗାନାଇଜେସନ ରହିଥିବା ପିରାମଲ ଫାଉଣ୍ଡେସନ ପ୍ରତିନିଧି ରାଜାରାମ ମଲ୍ଲିକ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାରଙ୍କ ସମେତ ଆଇଟିଡିଏ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button