BhanjanagarDistrictHealthOdisha

କୂଅ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର,୨୪/୮ : ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଆଜି କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ହେମ ଗୌଡ଼ (୭୦)। ରବିବାର ପୂର୍ବାହ୍ନ ସମୟରେ ସେ ଘରୁ ବାହାରକୁ ଯାଇଥିଲେ। ଏହାପରେ ଆଉ ଘରକୁ ଫେରିନଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ତାଙ୍କ ବୋହୁ ଦିନସାରା ଖୋଜାଖୋଜି କରୁଥିଲେ।

ତାଙ୍କ ଶାଶୂଙ୍କ କୌଣସି ସୂଚନା ପାଇନଥିବା ବେଳେ ସନ୍ଧ୍ୟା ସମୟରେ ବୃଦ୍ଧା ଜଣକ କୂଅରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କ ଘରେ ଖବର ଦେଇଥିଲେ ବୋଲି ତାଙ୍କ ବିବାହିତ ଝିଅ ବବିତା ପ୍ରକାଶ କରିଛନ୍ତି।

କିଭଳି ସେ କୂଅରେ ପଡିଲେ ତାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବର ପାଇ ଭଞ୍ଜନଗର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି। ଅନ୍ୟପଟେ ହେମଙ୍କ ସ୍ୱାମୀ ଦୀର୍ଘ ଦିନ ହେଲା ମୃତ୍ୟୁ ବରଣ କରିଥିବା ବେଳେ ଏକମାତ୍ର ସାହାରା ଥିବା ପୁଅ ଗନ୍ଧି ଗୌଡ଼ ଜୀବନ ମରଣ ସହିତ ସଂଗ୍ରାମ କରୁଛି। ଗନ୍ଧି ସୁରତରେ ସୁତା କଳରେ କାମ କରୁଥିଲେ।

କିଛି ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପୁଅ ଶଯ୍ୟାସାୟୀ ରହିଥିବା ସମୟରେ ମାଆର ଏଭଳି ମୃତ୍ୟୁ ବରଣ କରିଛି। ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button