ଭଞ୍ଜନଗରରେ ରାଜସ୍ବ ଅମଲାଙ୍କ ଧାରଣା

ଭଞ୍ଜନଗର,୧୮/୮ : ଓଡ଼ିଶା ରାଜସ୍ବ ଅମଲା ସଂଘର ବାରମ୍ବାର ଦାବି ସତ୍ତ୍ୱେ ଦଶ ଦଫା ଦାବି ପୂରଣ ହେଉ ନଥିବା ପ୍ରତିବାଦରେ ରାଜସ୍ବ ଅମଲା ମାନେ ସମୁହ ଛୁଟିରେ ଅଛନ୍ତି। ସୋମବାର ଗଞ୍ଜାମ ଜିଲ୍ଲା ଅମଲା ସଂଘ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।
ଜିଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାଙ୍କ ମୂଳ ଦରମା ଓଆରଏସପି-୨୦୧୭ନିୟମ ଅନୁଯାୟୀ ଲେବେଲ-୯ କୁ ବୃଦ୍ଧି,ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା, ପୁନଃ ଥଇଥାନ ଯୋଜନା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରାଯିବା ଭଳି ବିଭିନ୍ନ ଦାବି ନେଇ ଭଞ୍ଜନଗର ଉପଖଣ୍ଡ ସଦର ମହକୁମାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ରାଜସ୍ବ ଅମଲାଙ୍କ ସମୁହ ଛୁଟି ଫଳରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି।