
ମାଲକାନଗିରି, ୧୪/୦୮: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସଦରରେ ଥିବା ବିଦେଶୀ ମଦ ଦୋକାନରେ ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ , ଖବର ପାଇ ମାଡି ବସିଲା ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ କୁଡୁମୁଲୁଗୁମ୍ମା ସ୍ଥିତ ବିଦେଶୀ ମଦ ଦୋକାନରେ ଥିବା କର୍ମଚାରୀ ମାନେ ଗତ କିଛି ମାସ ଧରି ବିଭିନ୍ନ ବ୍ରାଣ୍ଡ ର ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଖବର ପାଇଥିଲା ଓରକେଲ ପୋଲିସ।
ମଙ୍ଗଳବାର ସନ୍ଧ୍ୟା ସମୟରେ ଓର୍କେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ପୁନଃ ଖବର ପାଇ ଏକ ଟିମ ଉକ୍ତ ବିଦେଶୀ ମଦ ଦୋକାନକୁ ପଠାଇଥିଲେ। କୁଡୁମୁଲୁଗୁମ୍ମା ଫାଣ୍ଡି ଇନଚାର୍ଜ କୃଷ୍ଣଚନ୍ଦ୍ର ହିଆଲ, ଏସଆଇ ମନୋହର ସାହୁ ଏବଂ ଏଏସଆଇ ବିଶି ମାଝୀ ଘଟଣା ସ୍ଥଳରେ ପହଞ୍ଚି ଅଚାନକ ଚଢ଼ାଉ କରିବା ସମୟରେ ମଦ ଦୋକାନ ମ୍ୟାନେଜର ଏବଂ ଅନ୍ୟ ଜଣେ ସହଯୋଗୀ ପୋଲିସ କୁ ଦେଖି ଚମ୍ପଟ ମାରିଥିଲେ। ପୋଲିସ ୨ କର୍ମଚାରୀ ଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ନକଲି ଲେଭେଲ ମାର୍କ, ବିଭିନ୍ନ ବ୍ରାଣ୍ଡର ଠିପି, ଖାଲି ବୋତଲ, ସ୍ପିରିଟ ଏଭଳି ମଦ ରେ ବ୍ୟବହୃତ ବିଭିନ୍ନ ନକଲି ସାମଗ୍ରୀ ଜବତ କରିଥିଲା। ପ୍ରସ୍ତୁତ କରୁଥିବା ୨ କର୍ମଚାରୀ ଅଖିଳେଶ କୁମାର ଯାଦବ ଏବଂ ଲଲନ କୁମାର ଯାଦବ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଏଭଳି ସ୍ପିରିଟ ମିଶା ନକଲି ବ୍ରାଣ୍ଡ ବିଦେଶୀ ମଦ ବିକ୍ରି କରି ଗ୍ରାହକଙ୍କୁ ଠକେଇ ଅଭିଯୋଗରେ ଦୋକାନ ବନ୍ଦ କରିବା ସହ ଉକ୍ତ ମଦ ଦୋକାନ ମାଲିକଙ୍କ ଲାଇସେନ୍ସ କ୍ୟାନସେଲ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।