
ଭଞ୍ଜନଗର,୧୧/୮ : ଭଞ୍ଜନଗର ଥାନା ଅଧୀନ ଶାଲୁଆପଲ୍ଲୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଅଶୋକ କୁମାର ଭୂୟାଁକୁ ପୁଲିସ କାବୁ କରିବା ସହ ତା ନିକଟରୁ ୯ ଏମ.ଏମର ଗୋଟିଏ ପିସ୍ତଲ,ଦୁଇଟି ଜୀବନ୍ତ ଗୁଳି ଓ ମାଗାଜିନ ଜବତ କରିଛି।
ସୂଚନା ପ୍ରକାରେ,ଏସଆଇ ସମୀର କୁମାର ସେଠୀ ସଦଳବଳେ ରାତିରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ ଅଶୋକ ଶାଲୁଆପଲ୍ଲୀ ରାସ୍ତା କଡରେ ଥିବା ଦେଖିଥିଲେ। ତାକୁ ଡାକି ତଲାସୀ ନେବା ବେଳେ ତା’ନିକଟରୁ ଗୋଟିଏ ୯ଏମ ଏମ ପିସ୍ତଲ, ମାଗାଜିନ ଓ ୨ଟି ଜୀବନ୍ତ ଗୁଳି ମିଳିଥିଲା। ପରେ ମାରଣାସ୍ତ୍ର ରଖିବାରେ ଜଡିତ କୌଣସି କାଗଜପତ୍ର ସେ ପ୍ରଦାନ କରି ପାରିନଥିଲେ।
ଏହାପରେ ଏସଆଇ ସମୀର ସେଠି ସାକ୍ଷୀମାନଙ୍କ ଉପସ୍ଥିତିରେ ମାରଣାସ୍ତ୍ରକୁ ଜବତ କରିଥିଲେ। ଏନେଇ କେସ ନଂ ୯୨୬/ ୨୫ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଅଶୋକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।