
ଭଞ୍ଜନଗର, ୦୯/୦୮ : ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ନାଇକଙ୍କ ପୁଅ ସନ୍ତୋଷ ନାଇକ (୨୭)। ଶୁକ୍ରବାର ରାତିରେ ସନ୍ତୋଷ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ।
ଅସାବଧାନତା ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ କେସ ନଂ ୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।