ସୁଭଦ୍ରାର ତୃତୀୟ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ

ମାଲକାନଗିରି, ୯/୮: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ସଦର ବିଡିଓ ତପନ ସେନାପତି ଓ ଡା ସୌଭାଗ୍ୟ ରଞ୍ଜନ ରଣସିଂହ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ରାଶିରୁ ମାଆ ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ମାଆ ମାନେ କିଭଳି କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିଛନ୍ତି ସେ ବିଷୟରେ ଜିଲ୍ଲାପାଳ କହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦୁଇ ସୁଭଦ୍ରା ଭଉଣୀ କୋରକୁଣ୍ଡାର ମେରୀ ହରିଜନ ଓ ଖଇରପୁଟର ରାଧିକା ଖରା ନିଜ ସଫଳତାର କାହାଣୀ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ୧ ଲକ୍ଷ ୫୧ ହଜାର ୪୭୪ ସୁଭଦ୍ରା ଫର୍ମ ଆବେଦନ କରାଯାଇଛି । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୧ ଲକ୍ଷ ୩୯ ହଜାର ୮୫୧ ଫର୍ମକୁ ଅନୁମୋଦନ କରାଯାଇ ୧ ଲକ୍ଷ ୩୯ ହଜାର ୭୨୭ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି।
ସେହିପରି ଦ୍ଵିତୀୟ କିସ୍ତିରେ ୧ ଲକ୍ଷ ୩୮ ହଜାର ୬୬୨ ଫର୍ମ ଅନୁମୋଦନ କରାଯାଇ ୧ ଲକ୍ଷ ୩୮ ହଜାର ୩୫୧ ଜଣ ହିତାଧୀକାରୀ ଅର୍ଥ ରାଶି ପାଇଛନ୍ତି। ଆଜି ସୁଭଦ୍ରା ଭଉଣୀମାନେ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ କର୍ମଚାରୀ ଓ ସଦର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।