
ଭଞ୍ଜନଗର,୦୪/୮ : ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଲୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ଯୁବକକୁ ପୁଲିସ କାବୁ କରିବା ସହ ତା ନିକଟରୁ ୯ ଏମ.ଏମର ଗୋଟିଏ ବନ୍ଧୁକ,ଦୁଇଟି ଜୀବନ୍ତ ଗୁଳି ଓ ମାଗାଜିନ ଜବତ କରିଛି। ସୂଚନା ପ୍ରକାରେ,ଏସଆଇ ସମୀର କୁମାର ସେଠୀ ସଦଳବଳେ ତୁଳସୀପଲ୍ଲୀ ଛକ ନିକଟରେ ରାତି ପେଟ୍ରୋଲିଂ କରୁଥିଲେ।
ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ ରାସ୍ତା ପାର୍ଶ୍ୱରେ ଯାଉଥିଲେ। ପୁଲିସ ତା ନିକଟରେ ପହଞ୍ଚି ପଚାରିବାରୁ ସେ ପୋଲିସକୁ ଅସଦାଚରଣ ଦେଖାଇଥିଲେ। ପୁଲିସ କାବୁ କରି ତଲାସୀ ନେବାରେ ତାଙ୍କ ନିକଟରୁ ଗୋଟିଏ ୯ଏମ ଏମ ପିସ୍ତଲ, ମାଗାଜିନ ଓ ୨ଟି ଜୀବନ୍ତ ଗୁଳି ମିଳିଥିଲା। ପରେ ମାରଣାସ୍ତ୍ର ରଖିବାରେ ଜଡିତ କୌଣସି କାଗଜପତ୍ର ସେ ପ୍ରଦାନ କରି ପାରିନଥିଲେ। ଯୁବକ ଜଣକ ତୁଳସୀପଲ୍ଲୀ ଗ୍ରାମର ସୌମ୍ୟ ରଞ୍ଜନ ବେହେରା ଓରଫ ସାନୁ (୩୨) ବୋଲି ଜଣାପଡ଼ିଛି। ଏହାପରେ ଏସଆଇ ସମୀର ସେଠି ସାକ୍ଷୀମାନଙ୍କ ଉପସ୍ଥିତିରେ ମାରଣାସ୍ତ୍ରକୁ ଜବତ କରିଥିଲେ। ଏନେଇ କେସ ନଂ ୯୦୫/୨୫ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ସାନୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।