
ପାରଳାଖେମୁଣ୍ଡି, ୦୩/୦୮: ଓଡ଼ିଶା ରାଜସ୍ୱ ଅମଲା ସଂଘର ଗୁରୁତ୍ବ ପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଆହେତୁକ ବିଳମ୍ବ ହେତୁ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତ୍ତି ପରିପ୍ରେକ୍ଷୀରେ, ଆଜି ଗଜପତି ଜିଲ୍ଲା ଶାଖା ରାଜସ୍ୱ ଅମଲା ସଂଘର ସଭାପତି ଶ୍ରୀ ଯୁଧିଷ୍ଟିର ରଣସିଂହ ଓ ସାନ୍ତୁନୁ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l
ପ୍ରକାଶଥାଉ କି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଦାବି ଗୁଡିକ ମଧ୍ୟ ରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ | ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ |
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ | ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ |
ଓଡ଼ିଶା ରାଜସ୍ଵ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି ଦିଆଯାଉ | ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ |ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି l
କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତ୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି l ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର ଆଗାମୀ ୧୦ ଅଗଷ୍ଟ ୨୦୨୫ ତାରିଖ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଯୁଧିଷ୍ଟିର ରଣସିଂହ, ସମ୍ପାଦକ ସାନ୍ତୁନୁ ମିଶ୍ର ପ୍ରକାଶ କରିଥିଲେ |
ଏହି ଅବସରରେ ଶ୍ରୀ ସନ୍ତୋଷ ପାଣିଗ୍ରାହୀ, ଭୈରବ ପଟ୍ଟନାୟକ, ଶଶାଙ୍କ ଶତପଥୀ, ପ୍ରସାଦ ପାତ୍ର ଇଶ୍ଵର ବେହେରା ଦେବନ୍ଦ୍ର ପଟ୍ଟନାୟକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମଟିକୁ ଶ୍ରୀ ଶିବ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ l