
ପାରଳାଖେମୁଣ୍ଡି, ୦୩/୦୮: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ମୋହନା ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ପୁଣି ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି. ଏହି ଘଟଣାରେ ପୋଲିସ 14 ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ସହ 3 ଗୋଟି ଅଟୋକୁ ଜବତ କରାଯାଇଥିବା ସୂଚନା ମିଳିଛି. ଏହି ଘଟଣା ନେଇ ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ଆଜି ଗଜପତି ଜିଲ୍ଲା ଏସପି ଅଫିସ ପରିସରରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଇ କହିଥିଲେଯେ, ଗଜପତି ଜିଲ୍ଲାର ମୋହନା ବ୍ଲକର ରାତାଗୁଡା ନାମକ ଦୁର୍ଗମ ଗ୍ରାମରେ ଗତ 15 ଦିନ ତଳେ ସୁବାସ ମଲ୍ଲିକ ନାମକ ଜଣେ ଗ୍ରାମବାସୀଙ୍କ ପତ୍ନୀଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା. ଏହି ମୃତ୍ୟୁ ଗୁଣିଗାରେଡିଜନିତ କାରଣରୁ ହୋଇଥିବା ଗ୍ରାମବାସୀମାନେ ସନ୍ଦେହ ପ୍ରକଟ କରିଥିଲେ. ଗୁଣିଗାରେଡି କରି ସେହି ଗ୍ରାମର ଗୋପାଳ ମଲ୍ଲିକ ଏପରି ଅକାଳ ମୃତ୍ୟୁ ଘଟାଉଛି. ତେଣୁ ଗୋପାଳ ମଲ୍ଲିକକୁ ଉଚିତ ଶାସ୍ତି ଦେବା ପାଇଁ କ୍ରୋଧାନ୍ବିତ ହୋଇ ଗ୍ରାମବାସୀମାନେ ସୁଯୋଗ ଅପେକ୍ଷାରେ ଥିଲେ. ଏହି ଗ୍ରାମବାସୀଙ୍କ ଏପରି ଉଦ୍ଦେଶ୍ୟ ପୂର୍ବରୁ ଜାଣି ପାରି ଗୋପାଳ ମଲ୍ଲିକ ତାହାର ଗ୍ରାମ ଛାଡି ଦୂରରେ ଥିବା ଶଶ୍ୱର ଘରକୁ ଚାଲି ଯାଇଥିଲା. ଗତକାଲି ଗୋପାଳ ତାର ଶଳା ସହ ମଟର ବାଇକରେ ନିଜ ଘରକୁ ଯାଇ ଜିନିଷ ପତ୍ର ଆଣିବା ଉଦ୍ଦେଶ୍ୟରେ ବାହାରିଥିଲେ. ଏହି ଖବର କୌଣସି କାରଣରୁ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ଥିଲା. ଗ୍ରାମବାସୀମାନେ ମଳାସପଦର ଗ୍ରାମ ନିକଟରେ ଲୁଚି ରହି ଗୋପାଳକୁ ଅପେକ୍ଷା କରିଥିଲେ. ଗୋପାଳ ବାଇକ ଯୋଗେ ସେହି ରାସ୍ତା ଦେଇ ଆସୁଥିବା ବେଳେ ଗ୍ରାମବାସୀମାନେ ତାକୁ ଅଟକାଇ ବାଇକରୁ ଘୋଷାଡ଼ି ନେଇ ରାତାଗୁଡା ଗ୍ରାମର କୋଠ ଘରକୁ ଉଠାଇ ନେଇଥିଲେ. ଗୁଣିଗାରେଡି ଦ୍ଵାରା ଲୋକଙ୍କୁ ମାରି ପ୍ରାଣ ରକ୍ଷା ପାଇଁ ନିଜ ଗାଁରୁ ଚମ୍ପଟ ମାରୁଛୁ ବୋଲି ଗାଳି ଗୁଲଜ କରିବା ସହ କୋଠ ଘରରେ ଗୋପାଳକୁ ବିଭିନ୍ନ ଭାବେ ମାରପିଟ କରିଥିଲେ. ପରେ ଗ୍ରାମ ଠାରୁ କିଛି ଦୂରରେ ରହୁଥିବା ହରଭଙ୍ଗୀ ଡ୍ୟାମ ନିକଟକୁ ନେଇ ପୁଣି ବିଭିନ୍ନ ଭାବେ ମାଡ଼ ଦେବା ସହ ଗୋପାଳର ଯୌନାଙ୍ଗକୁ କାଟି ଦେଇଥିଲେ. ଏଥିରେ ଗୋପାଳ ଛଟପଟ ହୋଇ ମୃତ୍ୟୁବରଣ କରିବା ପରେ ଏକ ପଥରକୁ ଆଣି ଗୋପାଳର ମୃତଦେହ ସହ ବାନ୍ଧି ଡ୍ୟାମରେ ଥିବା ଗଭୀର ପାଣି ମଧ୍ୟକୁ ଫୋପାଡ଼ି ଦେଇଥିଲେ. ଏହି ଘଟଣା ଗୋପାଳର ଭାଉଜ ଜାଣିବା ପରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ. ପୋଲିସ ଘଟଣା ନେଇ ଅନୁସନ୍ଧାନ କରି ଡ୍ୟାମରୁ ମୃତଦେହକୁ ଉଦ୍ଧାର କରିବା ସହ ଗୋପାଳକୁ ହତ୍ୟା କରିବାରେ ବ୍ୟବହୁତ ମାରଣାସ୍ତ୍ର ଗୁଡିକୁ ପୋଲିସ ଜବତ କରିଥିଲେ. ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ 14 ଜଣ ଗ୍ରାମବାସୀ 3 ଗୋଟି ଅଟୋରେ ଫେରାର ହେବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ. ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ 14 ଜଣଙ୍କୁ ଗିରଫ କରାଯାଇଛି ବୋଲି ଗଜପତି ଏସପି ଶ୍ରୀ ପଣ୍ଡା ସୂଚନା ଦେଇ କହିଛନ୍ତି ଆସନ୍ତାକାଲି ଏହି 14 ଜଣଙ୍କୁ କୋୖର୍ଟଚାଲାଣ କରାଯିବ. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗଜପତି ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହ ନେଇ ଅନ୍ଧ ବିଶ୍ୱାସର ନିକଟବର୍ତ୍ତୀ ହୋଇ ଏଭଳି ନିର୍ମମ ହତ୍ୟାକାଣ୍ଡ ଗତ ବହୁ ବର୍ଷ ଧରି ଲାଗି ରହିଛି. ସରକାର ଓ ପ୍ରଶାସନ ଏନେଇ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଅନ୍ଧ ବିଶ୍ୱାସରୁ ଦୁରେଇବା ପାଇଁ ଆବଶ୍ୟକ ସଚେତନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି.