BusinessDistrictEducationHealthMalkangiriNationOdishaPolitics

ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ

ମାଲକାନଗିରି, ୨/୮: ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଠାରେ ଜିଲ୍ଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପିରାମଲ ଫାଉଣ୍ଡେସନ ରାଜ୍ୟ ପ୍ରୋଗ୍ରାମ ଡାଇରେକ୍ଟର ଗୋମତୀ ଶଙ୍କର କ୍ରିଷ୍ଣନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ।
ସଂପୂର୍ଣ୍ଣତା ଅଭିଯାନରେ ଜିଲ୍ଲା ୪ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାର ଶ୍ରେୟ ଜିଲ୍ଲାବାସୀଙ୍କର । ସମସ୍ତଙ୍କ ମିଳିତ ସହଭାଗିତାରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆମେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢ଼ି ତୋଳିବାର ସଂକଳ୍ପ ନେବାକୁ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନେ ଏହି ବିରାଟ ସଫଳତା ରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସମସ୍ତେ ମିଳିମିଶି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବା।
ସୂଚନା ଥାଉ କି ଆକାଂକ୍ଷା ହାଟ ୭ ଦିନ ପର୍ଯ୍ୟନ୍ତ ରହିବ। ଏହି ହାଟ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ଗୁଡ଼ିକୁ ବ୍ରାଣ୍ଡିଂ କରି ଅନଲାଇନ ପ୍ଲାଟଫର୍ମରେ ସାମିଲ୍ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କର ଆର୍ଥିକ ବିକାଶ ହେବ । ଏହି ହାଟ ରେ ଆଦିମ ବଣ୍ଡା ଜନଜାତିଙ୍କ ବିଡ୍ ୱାର୍କ ମାଳି, ସ୍ବାଭିମାନ ଅଞ୍ଚଳର ହଳଦୀ ଗୁଣ୍ଡ ଓ ପଣସ ଚିପ୍ସ ସ୍ଥାନ ପାଇଛି। ନୀତି ଆୟୋଗ ଅଧୀନରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଳକ୍ କାର୍ଯ୍ୟକ୍ରମରେ ୬ ଗୋଟି ବର୍ଗରେ ଜିଲ୍ଲାକୁ ସ୍ୱର୍ଣ୍ଣ ପଦକ ମିଳିଛି। ମାଲକାନଗିରି କୁ ଜିଲ୍ଲା ସ୍ତରରେ ଗୋଟିଏ ସ୍ୱର୍ଣ୍ଣ ଓ ଆକାଂକ୍ଷୀ ବ୍ଲକ୍ ଭାବେ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକ୍ କୁ ତିନି ଗୋଟି ସ୍ୱର୍ଣ୍ଣ ପଦକ ମିଳିଛି। ସମଗ୍ର ଦେଶରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ବିରଳ କୃତିତ୍ୱ ହାସଲ କରିବାରେ ମାଲକାନଗିରି ଏକମାତ୍ର ଜିଲ୍ଲା ଅଟେ।
ଆକାଂକ୍ଷୀ ଜିଲ୍ଲା ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ୯ ରୁ ୧୧ ବର୍ଷର ଶିଶୁଙ୍କ ଟୀକାକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ ଓ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଆକାଂକ୍ଷୀ ବ୍ଲକ୍ ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ମଧୁମେହ ରୋଗୀ ଚିହ୍ନଟ, ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟା, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପୂର୍ଣ୍ଣ ଚଳନ ରାଶି ପ୍ରଦାନ ରେ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି। ସେହିପରି ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବିଡିଓ, ସିଡିପିଓ, ଏମଓ, ଏମଓଆଇସି, ବିଏଓ ଓ ବିପିଏମଙ୍କୁ ପୁରସ୍କୃତ କରାଯାଇଛି।
ଏହି ତିନି ଗୋଟି ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ, ଆଶା, କୃଷକ ସାଥି, ଭିଏଡବ୍ଲୁ, ଏଓ, ସିଆରପିସିଏମ ଓ ଏମବିକେଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଡି ଡିପିଏମୟୁ ଗୋଲକ ଚନ୍ଦ୍ର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button