
ନନ୍ଦପୁର, ୩୧/୦୭: କୋରାପୁଟ ଜିଲ୍ଲା ଆନ୍ଧ୍ର ଓଡିଶା ସୀମାନ୍ତ ନନ୍ଦପୁର ବ୍ଲକର ଗୋଲୁର୍ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଡା଼ ଓ କୁଲାରସିଂହ ପଞ୍ଚାୟତର କୁମ୍ଭୁଗୁଡା ଅଞ୍ଚଳରେ ବର୍ଷା ପରେ ରାସ୍ତାଘାଟ ଅତ୍ୟନ୍ତ ଅଶୋଭନୀୟ ଅବସ୍ଥାରେ ପହଞ୍ଚିଛି। ଏହି ବ୍ୟଥାଦାୟକ ଅବସ୍ଥାକୁ ଦେଖି ନନ୍ଦପୁର ବ୍ଲକ କଂଗ୍ରେସ ନେତୃତ୍ବ ମଣ୍ଡଳୀ ଗସ୍ତ କରି ସ୍ଥଳ ସମୀକ୍ଷା କରିଛନ୍ତି।ସମସ୍ତ ରାସ୍ତା କାଦୁଅରେ ପୁରି ଯାତାୟାତ ବିକଳ ହୋଇଯାଇଛି।
ଚାଷୀମାନଙ୍କ ଫସଲ କ୍ଷତି ଓ ଦିନମଜୁରୀମାନଙ୍କ ଜୀବିକା ଉପରେ ପଡିଥିବା ପ୍ରଭାବ ଦେଖି ଅଞ୍ଚଳବାସୀ ଭୟଭୀତ ଓ ଦୁଃଖିତ।ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର ଖେମୁଡୁ ଏହି ଅବସ୍ଥା ବିଷୟରେ ବିଧାୟକଙ୍କୁ ଅବଗତ କରି ସିସି କିମ୍ବା ଫେବର ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ ଜରୁରୀ ତଦନ୍ତ ଓ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏହି ଗସ୍ତରେ ବରିଷ୍ଠ କଂଗ୍ରେସ ନେତା କେଶବ ଖରା, ତ୍ରିନାଥ ପାଙ୍ଗି, ଶୁକଦେବ ଅଲଙ୍ଗ ଓ ପ୍ରଦିପ ମଧ୍ୟ ଉପସ୍ଥିତ ଥିଲେ।