ବନ୍ଧୁଗାଁ, ୨୩/୦୭:କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ଏଲଙ୍ଗାବାଲସା ଗାଁରେ ଜଣେ ବୃଦ୍ଧାଙ୍କୁ ଗୁଣି ସନ୍ଦେହରେ ହତ୍ୟା ଉଦ୍ୟମ କରାଯାଇଛି। ପ୍ରାପ୍ତ ସୁଚନା ଅନୁଯାୟୀ ଆଚା କାଡ୍ରାକା ୨୦ ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସେଠାରେ ଜ୍ଵର ରେ ପୀଡ଼ିତ ହୋଇ ନିଜ ଘରକୁ ଫେରି ଆସିଥିଲେ। ପରେ ଜ୍ଵର ନ କମିବାରୁ ଆଚା କାଡ୍ରାକା ପରିବାର ଲୋକଙ୍କ ସହିତ ଯାଇ କିଛି ବୈଦଙ୍କ ଠାରୁ ଚେରମୁଲି ଔଷଧ ଖାଇ ଆସୁଥିଲେ। ଜ୍ଵର ଓ ଖାସ ଲାଗି ରହିବାରୁ ଗାଁର ଆଶା ଦିଦି ଲୀଳା କୁମାରୀ ଗୌଡ ପୀଡ଼ିତ ଆଚା ଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି କଫ ଓ ରକ୍ତ ପରୀକ୍ଷା କରାଇ ଥିଲେ। କଫ ନମୁନାରୁ ଗତ ମାସ ତା ୫/୬/୨୫ ଦିନ ଆଚା କାଡ୍ରାକା ଙ୍କୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇ ଥିଲେ ।
ଆଶା ଦିଦି ମେଡିକାଲ ରୁ ଯକ୍ଷ୍ମା ରୋଗ ପାଇଁ ଔଷଧ ଆଣି ଦେଇ ଥିଲେ ମଧ୍ୟ ସେ ଔଷଧ ନ ଖାଇ ଚେରମୁଳି ଖାଇବା ସହିତ ସାନସରପଲ୍ଲୀ ପ୍ରାଇବେଟ କ୍ୱାକ ଙ୍କ ପାଖରେ ମେଲେରିଆ ଟାଇଫଏଡ ଥିବା ରୁ ଚିକିତ୍ସା କରିଥିଲେ, ପୁଣି ସୁସ୍ଥ ନ ହେବା ଯୋଗୁଁ ଆଲମଣ୍ଡା କୁ ଯାଇ ରକ୍ତ ପରୀକ୍ଷା କରି ଜଣ୍ଡିସ ରୋଗ ହୋଇ ଥିବା ଜାଣିବାକୁ ପାଇ ଔଷଧ ବ୍ୟବହାର କରୁଥିଲେ। ଏଥିରେ ମଧ୍ୟ ଚିକିତ୍ସିତ ହୋଇ ନ ପାରିବାରୁ ଗାଁରେ ଥିବା ମାଲି କାଡ୍ରାକା (୫୮) ଗୁଣି ଗାରେଡ଼ି କରିଥିବା ସନ୍ଦେହ କରିଥିଲେ।
ଏପଟେ ଯକ୍ଷ୍ମା ରୋଗ ଔଷଧ ନ ଖାଇ ରୋଗି ଗୁରୁତର ହୋଇ ଘରେ ଖଟିଆ ପଡ଼ି ରହି ଥିଲେ। ଅଳ୍ପ ଦିନ ତଳେ ପରିବାର ଲୋକ ଗୁଣିଆ ମାଲି କାଡ୍ରାକାଙ୍କୁ ସାକ୍ଷାତ କରି ଗୁଣି କରିଛୁ, ଚିକିତ୍ସା କରେ କହି ଧମକ ଚମକ ଦେଇ ଫେରି ଆସିଥିଲେ। ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ଆଚା କାଡ୍ରାକା ସମ୍ପର୍କୀୟ ଭାଇ ଅଦମା କାଡ୍ରାକା, ଲାଚା କାଡ୍ରାକା, ଉଦେଶ କାଡ୍ରାକା ଓ ବତି କାଡ୍ରାକା ମିଶି ମାଲି କାଡ୍ରାକା ଙ୍କ କୁଡ଼ିଆ ଘରକୁ ଯାଇ ମାଡ ମାରି ଥିଲେ। ମାଡ ରେ ମାଲି କାଡ୍ରାକା ଙ୍କ ହାତ ଭାଙ୍ଗି ଥିବା ବେଳେ ମୁହଁ ମାଡ ହୋଇ ଗୁରୁତର ଆହତ ହୋଇ ଥିଲେ।
ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଖବର ପାଇବା ପରେ ଏଏସଆଇ ବି ଟି ସାଧୁ ଓ ଟିମ ଗାଁ କୁ ଯାଇ ଗୁରୁତର ଆହତ ହୋଇ ଦୋରମୋଡା ଅବସ୍ଥାରେ କୁଡ଼ିଆ ଘରେ ଥିବା ବେଳେ ମାଲି କାଡ୍ରାକାଙ୍କୁ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ତେବେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମାଲି କାଡ୍ରାକା ଙ୍କୁ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମେଡ଼ିକାଲ କୁ ଆମ୍ବୁଲାନ୍ସରେ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି। ପୁଣି ଆକ୍ରମଣ କାରୀ ଫେରାର ଅଛନ୍ତି