
ଭଞ୍ଜନଗର,୨୧/୭ : ଭଞ୍ଜନଗର ତଥା ଆଖପାଖ ବ୍ଳକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସଂଖ୍ୟ ବଢିଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ଗ୍ରାମର ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ମେଡିକାଲ୍ ରେ ଭର୍ତ୍ତି ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସରେ ଆଜି ପର୍ଯ୍ୟନ୍ତ ୫୦ ରୁ ଅଧିକ ଆକ୍ରାନ୍ତ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ମଧ୍ୟ ୩-୪ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ସାନକୋଦଣ୍ଡା ପଞ୍ଚାୟତ ଗମ୍ଭାରୀଗୋଚ୍ଛା ଗ୍ରାମର ପାଣୁ ଗୌଡ଼ଙ୍କ ଗତ ଶନିବାର ମୃତ୍ୟୁ ହୋଇଥିବା ଅଭିକଯୋଗ ହୋଇଛି।
ତେବେ ଝାଡାବାନ୍ତି ହେବାରୁ ପାଣୁ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ବେଳେ ନିମୋନିଆ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଗାଲେରୀ ମେଡିକାଲ ଅଧିକାରୀ ଡ଼ା.ସନାତନ ବେହେରା ପ୍ରକାଶ କରିଛନ୍ତି। ଏଥିସହ ସେହି ଗ୍ରାମର ଗୋଟିଏ ପରିବାର ୩ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ମଧ୍ୟ ୨ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ,ଗମ୍ଭାରୀଗୋଚ୍ଛାରେ ଗତସପ୍ତାହ ୧୪ ତାରିଖ ଦିନ ଦଣ୍ଡାସି ସାହୁଙ୍କୁ (୬୪) ଝାଡାବାନ୍ତି ହୋଇଥିଲା। ପରିବାର ଲୋକ ଘରେ କିଛି ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଏହାର ଦୁଇ ତିନି ଦିନ ପରେ ତାଙ୍କ ଝିଅ ଗୀତାଞ୍ଜଳୀ ସାହୁ,ପୁଅ ମିଟୁ ସାହୁ ଓ ପତ୍ନୀ ଗୋଲାପ ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ।
ମିଟୁ ବର୍ତ୍ତମାନ ଭଲ ହୋଇ ଘରକୁ ଫେରିଥିବା ବେଳେ ଗୀତାଞ୍ଜଳୀ ଓ ଗୋଲାପଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ଅବସ୍ଥା ମଧ୍ୟ ସୁଧୁରିଥିବା ବେଳେ ସ୍ଥିତି ଦେଖି ତାଙ୍କୁ ମଧ୍ୟ ଡିସ୍ଚାର୍ଜ କରାଯିବ ବୋଲି ଡ଼ା.ବେହେରା ପ୍ରକାଶ କରିଛନ୍ତି। ତେବେ ଆଉ କିଛି ବ୍ୟକ୍ତି ମଧ୍ୟ ଏଭଳି ଆକ୍ରାନ୍ତ ହୋଇଥିବା ବେଳେ ମେଡିସିନ୍ ଖାଇବା ପରେ ସେମାନେ ସୁସ୍ଥ ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏହାପରେ ଗ୍ରାମରେ ଥିବା କୁଅ,ନଳକୂପକୁ ବିଶୋଧନ କରାଯିବା ସହ ଆଖପାଖ ଲୋକଙ୍କୁ ମେଡିସିନ୍ ବଣ୍ଟନ କରାଯାଇଛି।
ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରାଥମିକ ଚିକିତ୍ସାରେ ସହଯୋଗ କରୁଛନ୍ତି। ବାହାର ପାଣି ସିଧାସଳଖ ନପିଇ ଫୁଟେଇ ପିଇବାକୁ ସଚେତନ କରାଯାଉଛି। ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଅପରପକ୍ଷରେ ଆଜି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମେଡ଼ିକାଲ ଟିମ ସହ ଆଲୋଚନା କରିଥିଲେ। ଏଥିସହିତ ମୃତ୍ୟୁବରଣ କରିଥିବା ଦୁଇ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।