
ମୈଦଲପୁର, ୧୩/୦୭: ପାପଡ଼ାହାଣ୍ଡି ବ୍ଲକର ମୈଦଲପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି। ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୧୦ଟି ପଞ୍ଚାୟତବାସୀଙ୍କ ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର କିଛି ଗ୍ରାମବାସୀ ନିର୍ଭର କରୁଛନ୍ତି। ଏଠାରେ କାର୍ଯ୍ୟରତ ଏମବିବିଏସ୍ ଡାକ୍ତରଙ୍କୁ ରଥଯାତ୍ରା ପାଇଁ ପୁରୀରେ କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଫଳରେ ବର୍ତମାନ ଜଣେ ମାତ୍ର ଆୟୁଷ ଡାକ୍ତର ରୋଗୀସେବା କରୁଛନ୍ତି।
ଗୁରୁତର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳୁନଥିବାରୁ ବାଧ୍ୟ ହୋଇ ଅନ୍ୟ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି। ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୁର୍ଘଟଣାରେ ଗୁରୁତରମାନେ ଚିକିତ୍ସିତ ପାଇଁ ଆସିଥାନ୍ତି। କିନ୍ତୁ ଡାକ୍ତର ନଥିବାରୁ ଉନ୍ନତ ଚିକିତ୍ସା ନପାଇଁ ନିରାଶ ହୋଇ ଫେରି ଯାଉଥିବା ଅଭିଯୋଗ ହେଉଛି | ୬ଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨ ଜଣଙ୍କୁ ବଦଳି କରାଯାଇଛି। ଅନ୍ୟପଟେ ଜଣେ ବି ଫାର୍ମାସିଷ୍ଟ ନଥିବାରୁ ରୋଗୀ ଚିକିତ୍ସା ସମୟରେ ସମସ୍ୟା ଦେଖାଦେଉଛି| ପ୍ରତିଦିନ ପ୍ରାୟ ୮୦ରୁ ୧୦୦ଜଣ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ବିନା ଡାକ୍ତରରେ କିଭଳି ଚିକିତ୍ସା କରାଯାଉଥିବ ତାହା ସହଜେ
ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ମିଳୁନଥିବାରୁ ରୋଗୀମାନେ ମେଡିକାଲ ଷ୍ଟୋରରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି| ତୁରନ୍ତ ସ୍ଥାୟୀ ଏମବିବିଏସ୍ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ସହିତ ଅନ୍ୟ ପଦବି ପୂରଣ ଦିଗରେ
ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଆଗକୁ ସମସ୍ୟାର ସମାଧାନ କରାନଯାଏ ତେବେ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଠୁଙ୍କିବା ସହ ଜାତୀୟ ରାଜପଥରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ସିଡିଏମ୍ଓ ଡା. ସନ୍ତୋଷ ପଣ୍ଡାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ଏ ନେଇ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।