
ନନ୍ଦପୁର,୦୯/୦୭:ନନ୍ଦପୁର ବ୍ଲକ୍ ସଦର ମହକୁମାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଅନ୍ତେବାସୀ ସେମାନଙ୍କୁ ଛାତ୍ରାବାସରେ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଶତାଧିକ ଛାତ୍ର ବିଦ୍ୟାଳୟ ନ ଯାଇ ନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ମଙ୍ଗଳବାର ପ୍ରଦାନ କରିଥିଲେ। ଏଥିରେ ଛାତ୍ରାବାସରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ସାବୁନ, ତେଲ, ବ୍ରଶ୍, ପେଷ୍ଟ, ଫିନାଇଲ, ଝାଡ଼ୁ, ରୁମ୍ ପୋଛା, ଡଷ୍ଟବିନ୍, ବାଲ୍ଟି, ମଗ ଓ ଶୀତବସ୍ତ୍ର ଆଦି ଦିଆଯାଉ ନାହିଁ। ସେମାନଙ୍କୁ କୌଣସି ଖେଳ ସାମଗ୍ରୀ ଦିଆଯାଉ ନ ଥିବା ବେଳେ ଛାତ୍ର ନିବାସରେ ଇନ୍ଭର୍ଟର ନ ଥିବାରୁ ବିଦ୍ୟୁତ୍

କାଟ୍ ସମୟରେ ହଇରାଣ ହେଉଥିବା ଉଲ୍ଲେଖ କରିଛନ୍ତି। ବିଡିଓ ଦୋରା ଅନ୍ତେବାସୀ ଛାତ୍ରଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ଘଟଣାର ତଦନ୍ତ ବ୍ଲକ୍ ମଙ୍ଗଳ ଅଧିକାରୀଙ୍କ ଦ୍ବାରା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଛାତ୍ରାବାସ ପରିଚାଳନା ଦାୟିତ୍ୱରେ ଥିବା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜୁଲତା ଗରଡ଼ାଙ୍କୁ ଡାକି

ତାଗିଦ କରିବା ସହ ଅନ୍ତେବାସୀଙ୍କୁ ବିଦ୍ୟାଳୟ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ନନ୍ଦପୁର ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନାଗେନ ତ୍ରିପାଠୀ ମଙ୍ଗଳବାର କୋରାପୁଟରେ ଜିଲାପାଳଙ୍କ ରିଭ୍ୟୁ ମିଟିଂ ସାରି ହଷ୍ଟେଲ ପରିଦର୍ଶନ କରିବେ। ଅନ୍ତେବାସୀଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।