
ସୋର, ୦୮/୦୭: ଗୁରୁତର ମହିଳାଙ୍କୁ ସୋର ଡାକ୍ତରଖାନାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ କୁହାଯାଇଥିବା ବେଳେ ୩ ଘଣ୍ଟା ପରେ ୧୦୮ ଆମ୍ବୁଲାନ୍ସ ଆସିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ସୂଚନା ଅନୁସାରେ; ସୋର ପୌରାଞ୍ଚଳ ଅଧୀନ ଲିଙ୍ଗପଡ଼ା ଗ୍ରାମର ତୁଳସୀ ରଣା (୫୧) ଆଜି ମଧ୍ୟାହ୍ନରେ ଘର ନିକଟସ୍ଥ ଦଧିବାମନ ମନ୍ଦିରକୁ ପ୍ରସାଦ ସେବନ ପାଇଁ ଯାଇଥିଲେ । ପ୍ରସାଦ ସେବନ ସମୟରେ ତାଙ୍କ ମୁଣ୍ଡ ଉପରେ ଏକ କଂକ୍ରିଟ୍ ଘୋଡ଼ା ଖସିପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ପରିବାର ଲୋକେ ସଂଗେ ସଂଗେ ସୋର ଡାକ୍ତରଖାନା ନେଇଯାଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ୧ଟା ୩୫ରେ ତଳସୀଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଯିବା ପାଇଁ କହିଥିଲେ। ତେବେ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ପେଟ୍ରୋଲ୍ ପମ୍ପରେ କାର୍ଡ ସ୍ବାଇପ୍ ସମସ୍ୟା ଥିବା ଯୋଗୁ ତେଲ ପକାଇ ସାରି ଆମ୍ବୁଲାନ୍ସଟି ଆସିବା ସମ୍ଭବ ହୋଇ ନଥିଲା। ହେଲ୍ପଲାଇନ୍ ସହ ଯୋଗାଯୋଗ କରାଯିବାରୁ ପରିବାର ଲୋକଙ୍କୁ ସମସ୍ୟା ବାବଦରେ ଅବଗତ କରାଯାଇଥିଲା ଏବଂ ଭଡ଼ାଗାଡ଼ିରେ ନେଇଯିବାକୁ ଅନୁରୋଧ କରାଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକ ତୁଳସୀଙ୍କୁ ଭଡ଼ାଗାଡ଼ିରେ ବାଲେଶ୍ଵର ନେଇ ପାରି ନଥିଲେ । ତେବେ ୩ ଘଣ୍ଟା ପରେ ୧୦୮ ଆମ୍ବୁଲାନ୍ଟି ଆସିଥିଲା ଏବଂ ସେଥିରେ ତୁଳସୀଙ୍କୁ ବାଲେଶ୍ଵର ଡାକ୍ତରଖାନା ନିଆଯାଇଥିଲା।