
ଝରିଗାଁ,7|7: ଲଗାଣ ବର୍ଷା ଯୋଗୁଁ ଗତକାଲି ରାତି ପ୍ରାୟ ୩ ଘଣ୍ଟିକା ସମୟରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜାମଗୁଡ଼ା ଗ୍ରାମର ଅର୍ଜୁନ ପନକା (୬୫) ଓ ତାଙ୍କ ପତ୍ନୀ ରୁବି ପନକା (୬୨) ଗତକାଲି ରାତିରେ ଖିଆପିଆ ସାରି ଶୋଇଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ପାଣିରେ ଭିଜି ଦୁର୍ବଳ ହୋଇପଡ଼ିଥିଲା ।
ରାତିରେ ସମସ୍ତେ ଶୋଇଥିବା ସମୟରେ ପୁରୁଣା ଘରର କାନ୍ଥ ଭୁଶୁଡ଼ି ନୂଆ ଘରର କାନ୍ଥ ଉପରେ ପଡ଼ିଯାଇଥିଲା | ନୂଆ ଘରର କାନ୍ଥ ମଧ୍ୟ ଭୁଶୁଡ଼ି ରୁବିଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରୁବିଙ୍କ ମୃତ୍ୟୁ ଘଟିଥିଲ | ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ରୁବିଙ୍କୁ ଡାବୁଗାଁ ମେଡିକାଲକୁ ନେଇଥିଲେ | ସେଠାରେ ରୁବିଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁରେ ଶୋକାକୂଳ ପରିବେଶରେ ଆଜି ରୁବିଙ୍କ ଅନ୍ତିମ ସଂସ୍କାର କରିଥିବା ଖବର ମିଳିଛି। ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।