
ଭଞ୍ଜନଗର,୦୪/୭ : ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳରେ ୨୫ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳ ବୁଲୁଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଚଳପ୍ରଚଳ କରିବା ବନ ବିଭାଗର ଚିନ୍ତାର କାରଣ ପାଲଟିଲାଣି। ଫସଲ ଅମଳ ସମୟରେ ପୂର୍ବରୁ ହାତୀପଲ ଜଙ୍ଗଲରୁ ବାହାରୁଥିବା ବେଳେ ଏବେ ବର୍ଷ ତମାମ୍ ଏହି ବନଖଣ୍ଡର ବିଭିନ୍ନ ଗ୍ରାମ ନିକଟବର୍ତ୍ତି ଇଲାକାରେ ହାତୀଙ୍କ ଗତିବିଧି ଦେଖିବାକୁ ମିଳୁଛି।
ମୁଜାଗଡ ବନାଞ୍ଚଳ ଅଧିନ ରାଜପଥରେ ଏହି ହାତୀପଲ ସେମାନଙ୍କ ଗତିବିଧ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ହାତୀପଲ ରମ୍ଭା ପଟୁ ଆସି ଫୁଲତୋଟା ଜଙ୍ଗଲ ନିକଟରେ ରାଜରାସ୍ତା ପାର ହୋଇଥିବା ଜଣାପଡିଛି। ଆଉ ସେମାନଙ୍କୁ ପୁଣି ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ବିଭାଗୀୟ କର୍ମଚାରୀ ପ୍ରୟାସ ଜାରି ରଖିଥିବା ଜଣାପଡିଛି। ଅପରାହ୍ନରେ ଜାତୀୟ ରାଜପଥ ଉପରକୁ ପ୍ରଥମେ ୫ ଟି ହାତୀ ଚାଲି ଆସିଥିଲେ । ଫଳରେ ଭଞ୍ଜନଗର- ଫୁଲବାଣୀ ଜାତୀୟ ରାଜପଥର ଖାରିଗୁଡା- ନିଧିଆପଲ୍ଲୀ ରାସ୍ତାର ଫୁଲତୋଟା ଜଙ୍ଗଲ ନିକଟବର୍ତ୍ତି ସ୍ଥାନରେ ବେଶ୍ କିଛି ସମୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ହାତୀପଲଙ୍କ ଗତିବିଧି କୁ ଲକ୍ଷ୍ୟ କରି ବନ କର୍ମଚାରୀ ଉଭୟ ପଟେ ଜଗି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅଟକି ରହିଥିଲେ। ଲୋକଙ୍କ ଗହଳି ରହିଥିବାରୁ ଅନ୍ୟ ହାତୀ ମାନେ ରାସ୍ତା ପାର ହୋଇନଥିବା ବେଳେ ରାସ୍ତାପାର ହେବା ସ୍ଥାନରୁ ଲୋକଙ୍କୁ ବନ ବିଭାଗ କର୍ମଚାରୀ ମାନେ ଦୂରେଇ ଥିଲେ। ଏହାପରେ ସୁରକ୍ଷିତ ମଣିବା ପରେ ଏହି ପଲର ଅନ୍ୟ ହାତୀ ମାନେ ମଧ୍ୟ ରାସ୍ତା ପାର ହେବା ପରେ ଯାତାୟତ ସ୍ବାଭାବିକ ହୋଇଥିବା ମୁଜାଗଡ ବନପାଳ ଅଭିମନ୍ୟୁ ମଳିକ ପ୍ରକାଶ କରିଛନ୍ତି।
ଏହି ହାତୀପଲ ବାଇବାଲି ଅଞ୍ଚଳରେ ଦୀର୍ଘ ଦିନ ରହିବା ପରେ ଗତ ମାସ ୨୪ ତାରିଖ ଦିନ ରାତିରେ ଦଦରଲୁଣ୍ଡା ନିକଟ ଏକ ଗୋୀଦାନା ଗୋଦାମରେ ପଶି ବ୍ୟାପକ ନଷ୍ଟ କରିଥିଲେ। ଏହାପରେ ହାତୀପଲ ଗାଲେରୀ ବନାଞ୍ଚଳ ଆଡକୁ ମୁହାଁଇଥିବା ବେଳେ ସେଠାରେ ମଧ୍ୟ କିଛି ଫସଲ ନଷ୍ଟ କରିବା ସହ ଏକ ନର୍ସରୀରେ ଚାରାକୁ ଚକଟିଥିବା ଜଣାପଡିଥିଲା। ବର୍ତ୍ତମାନ ପୁଣି ମୁଜାଗଡ ବନାଞ୍ଚଳକୁ ଫେରିଥିବା ଜଣାପଡିଛି।