ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର ଆବାସ ଯୋଜନାରେ ଗୃହ ଯୋଗାଇଦେବାକୁ ଦାବି

ପାପଡ଼ାହାଣ୍ଡି,27/6 : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ାରେ ଲଗାଣ ବର୍ଷାରେ ଦୁଇଟି ଘର ଭାଙ୍ଗିଯାଇଛି। ବର୍ତ୍ତମାନ ନିଜ ପାଖରେ ଟଙ୍କା ନଥିବାରୁ ମରାମତି କରିବା ନେଇ ଚିନ୍ତାରେ ପଡ଼ିଛନ୍ତି ଉଭୟ କ୍ଷତିଗ୍ରସ୍ତ ପରିବାର ଦଳେଇଗୁଡ଼ା ଗ୍ରାମର କୁନି ଭତରା ଓ ଆଇତି ଜାନୀଙ୍କ ପରିବାର ମାଟିରେ ନିର୍ମିତ ଚାଳଛପର ଘରେ ରହିଆସୁଥିଲେ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇଛି। ଉଭୟ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ କୁଲିଭୁତି କରି ପରିବାର ପ୍ରତିପୋଷଣ କରନ୍ତି। କୁନି ଭତରା ବିଧବା ହୋଇଥିବା ବେଳେ ନିଜର ୬ ବର୍ଷର ଶିଶୁକୁ ନେଇ ରହନ୍ତି। କୁନି ନିଜେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ସେହିପରି ଆଇତି ଓ ତାଙ୍କ ସ୍ବାମୀ ବାଦ୍ଧକ୍ୟ ଯୋଗୁ କୁଲି ମଜୁରୀ କରିପାରୁନାହାନ୍ତି। ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ଓ ସରକାରୀ ସହାୟତାରେ ଜୀବନ ବିତାଉଛନ୍ତି। ଏହି ଦୁଇ
ପରିବାର ନିଜ ପାଖରେ ଟଙ୍କା ଅଭାବ ଯୋଗୁଁ ମାଟି ଘର ମରାମତି କରିପାରୁନାହାନ୍ତି। ବର୍ତମାନ ଉଭୟ ପରିବାର ଘରର କାନ୍ଥ ଭାଙ୍ଗିଯିବା ଯୋଗୁ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ତରଫରୁ ଉଭୟ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।