ଗଛରେ ପିଟି ହେଲା କାର୍ ଦୁଇ ଭାଇ ମୃତ, ଜଣେ ଗୁରୁତର

ଝରିଗାଁ,27|୬: ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାର ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଝରିଗାଁ ସିରାଗୁଡ଼ା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ (୨୧), ସ୍ବର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ (୩୦) ଏବଂ ମନମୋହନ ଜୈନଙ୍କ ପୁଅ କ୍ରିସ୍ ଜୈନ (୧୮) ଆଜି ସନ୍ଧ୍ୟା ସମୟରେ ଏକ କାର୍ ( ଓଡି-୦୨ଏଇ-୮୦୭୩) ରେ କୌଣସି ଏକ କାମରେ ଫୁପୁଗାଁ ରାସ୍ତାରେ ଯାଉଥିଲେ | ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଧକ୍କା ଦେଇଥିଲା | ଫଳରେ ଘଟଣାସ୍ଥଳରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିସ୍ ଜୈନ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କ୍ରିସ୍ ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।