ଛେଳିକୁ ମାରି ଖାଇଲା ବାଘ ! ଟ୍ରାପ୍ କ୍ୟାମେରା ଲଗାଇଲା ବନ ବିଭାଗ

ଭଞ୍ଜନଗର,26/06: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ଫଳରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଗ୍ରାମର ଚିଣ୍ଟୁ ଦିଗାଲଙ୍କ ଗୁହାଳରୁ ଏକ ଛେଳିକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ,ବନପାଳ ଅଭିମନ୍ୟୁ ମଳିକ ପ୍ରମୁଖ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବା ସହ ଆଲୋଚନା କରିଥିଲେ। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କୁ କିଭଳି ସହାୟତା ମିଳିପାରିବ ସେନେଇ ଆବଶ୍ୟକ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇଥିବା ରେଞ୍ଜର ବିମ୍ବାଧର ସାହୁ କହିଛନ୍ତି। ତେବେ ବିଭିନ୍ନ ସମୟରେ ଜଙ୍ଗଲ ନିକଟରେ ବାଘର ଗର୍ଜନ ଶୁଣାଯାଉଥିବା ବେଳେ ଏହା ଏକ କଲରା ପତ୍ରିଆ ବାଘ ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ଦୁର୍ଗାପ୍ରସାଦ ତଳସାହିରେ ମଧ୍ୟ ଅନୁରୂପ ଭାବେ ସୁରେନ୍ଦ୍ର ଦିଗାଲଙ୍କ ଗୁହାଳ ରୁ ଏକ ଛେଳିକୁ ବାଘ ଟାଣି ନେଇ ଖାଇଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀ ଦୁର୍ଗା ପ୍ରସାଦରେ ପହଞ୍ଚି ତଦାରଖ କରିଥିଲେ ମଧ୍ୟ କୌଣସି ସୁରାକ ମିଳିନଥିବା ରେଞ୍ଜର ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ଦୁର୍ଗାପ୍ରସାଦ,ଦଦରାଲୁଣ୍ଡା ଓ ଦର୍ପଙ୍ଗିଆ ଜଙ୍ଗଲ ନିକଟରେ ୮ଟି ଟ୍ରାଫ କ୍ୟାମେରା ଲଗାଯାଇଛି। ପାଦ ଚିହ୍ନରୁ କିଛି ସ୍ୱଷ୍ଟ ଜଣା ପଡୁନାହିଁ। ଛେଳିକୁ ମାରିଥିବା ବନ୍ୟ ଜନ୍ତୁଟି ହେଟା, ଗଧିଆ, କଲରା ପତରିଆ କିମ୍ବା ଅନ୍ୟ କୌଣସି ଜୀବ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି। ସତ୍ୟତା ଜାଣିବା ପାଇଁ ସେହି ଅଞ୍ଚଳରେ ବନ ବିଭାଗ ଟ୍ରାପ କ୍ୟାମେରା ଲଗାଇଥିବା ରେଞ୍ଜର ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଥାଉକି, ଗତ ଦେଢ଼ ବର୍ଷ ହେଲା ଘୁମୁସର ବନଖଣ୍ଡରେ ବାଘର ଗତିବିଧିକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଗାଈଗୋରୁ, ମଇଁଷି, ଛେଳି ଆଦି ଗୃହପାଳିତ ପଶୁଙ୍କୁ ମାରି ଖାଉଥିବା ନେଇ ଏକାଧିକ ଅଭିଯୋଗ ସାମ୍ନାକୁ ଆସିବା ସହ ଚାଷୀଙ୍କୁ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। କିନ୍ତୁ ଏଯାଏ ବନ ବିଭାଗ ବାଘର କୌଣସି ସୁରାକ୍ ପାଇପାରୁନି। ଯେଉଁଠି ଗୃହପାଳିତ ପଶୁଙ୍କ ଶବ ମିଳୁଛି, ସେଠାରେ ଟ୍ରାପ୍ କ୍ୟାମେରା ଲଗାଯାଉଛି। ଏହାସହ ପାଟ୍ରୋଲିଂ ବି ହେଉଛି। ତଥାପି କୌଣସି ସୁଫଳ ମିଳୁନି। ଗୋସମ୍ପଦକୁ ସୁରକ୍ଷା ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବ୍ୟାପକ ସଚେତନତା ଓ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ ସାଧାରଣରେ ଦାବି ହୋଇଛି।