
ନନ୍ଦପୁର, 24/6 ଆବାସ ଯୋଜନାରେ ଯୋଗ୍ୟ ହିତାଧୁକାରୀଙ୍କୁ ଗୃହ ମିଳୁ ନ ଥିବା ଅଭିଯୋଗ ହୋଇଛି। ନନ୍ଦପୁର ବ୍ଲକ୍ ବିଲାପୁଟ ପଞ୍ଚାୟତର ଗରିବ, ଭିନ୍ନକ୍ଷମ, ଘରଭଙ୍ଗା, ଅନାଥ ପିଲାଙ୍କୁ ଧରି ଚଳୁଥିବା ବିଧବା ହିତାଧୁକାରୀଙ୍କୁ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ରାଜ୍ୟ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ବଣ୍ଟନରେ ପଞ୍ଚାୟତ ଓ ବ୍ଳକ୍ ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଉଥିବା ପ୍ରମିଳା ଆସନ୍ଧାରୀ, ଅଜିତ ବେନିଆ, ପୂର୍ଣ୍ଣିମା ମାଟାମ, ଶେଖ୍ ସୁଦାନ ଓ ରୁକୂ ପାଙ୍ଗି ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ୨୦୨୪ରେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ହରଗଣ୍ଡା ଗ୍ରାମର ପ୍ରମିଳାଙ୍କ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ତହସିଲ ପକ୍ଷରୁ ତାଙ୍କୁ କେବଳ ପଲିଥୁନ ସହାୟତା ମିଳିଥିଲା।
ଜୋଲାପୁଟର ଅଜିତ ବେନିଆ ଜଣେ ଭିନ୍ନକ୍ଷମ ପିତାଙ୍କ ମୃତ୍ୟୁ ପରେ ମା’ ଯଶୋଦାଙ୍କ ସହ ଭଙ୍ଗା ଘରେ ରହୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଗୋଡିପ୍ଲଟର ପୂର୍ଣ୍ଣିମା ୩ ସନ୍ତାନଙ୍କ ସହ ରହୁଥିବା ଘରକୁ ନନ୍ଦପୁର ତହସିଲ ପ୍ରଶାସନ ଜବରଦଖଲ ଦର୍ଶାଇ ଭାଙ୍ଗି ଦେଇଥିଲେ। ଗୁହାରି କରିବାରୁ ପୂର୍ଣ୍ଣିମାଙ୍କୁ ଗୃହ ଯୋଗାଇ ଦେବାକୁ ତହସିଲ ଓ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ହୋଇ ନ ଥିବାରୁ ସେମାନେ ଅନ୍ୟ ଘରେ ଆଶ୍ରୟ ନେଇଥିବା କହିଛନ୍ତି। ଜୋଲାପୁଟର ଭିନ୍ନକ୍ଷମ ସେକ ସୁଦାନ ମା’ ଅବଦୁଲ ଲଚମିଙ୍କ ସହ ଏକ ଭଙ୍ଗା ଘରେ ରହୁଥିବା କହିଛନ୍ତି। ଅଣ୍ଟାବିର ଗ୍ରାମର ଭିନ୍ନକ୍ଷମ ଝିଅ ରୁକୁଙ୍କ ଧନ ପାଙ୍ଗୀ(୬୦) କମାର ବୃଦ୍ଧି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏକ ଭଙ୍ଗା ଘରେ ରହୁଥିଲେ ସୁଦ୍ଧା ଆବାସ ପାଇଁ କରିଥିବା ଆବେଦନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜବାଗଡ ଗ୍ରାମରେ ଡଙ୍ଗା ବୁଡି ଘଟଣାରେ ଦମ୍ପତି କୃଷ୍ଣ ପାଢିକି, ପ୍ରତିମା ପାଢିକି ଓ ଶୁକ୍ଲ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ସନ୍ତାନମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି I ଯୋଗ୍ୟ ହିତାଧୁକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି। ବିଲାପୁଟ ପଞ୍ଚାୟତବାସୀଙ୍କୁ ୨୦୨୩-୨୪ରେ ୧୦୭ ହିତାଧୁକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଅନ୍ତୋଦୟ ଗୃହ ଯୋଜନାରେ ୨୦୨୪-୨୫ରେ ୧୩ଟି ଓ ବିକାଶ ମେଳାରେ ୧୪ଟି ଆବାସ ଗୃହର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ସମସ୍ତଙ୍କ ନାମ ଆବାସ ଯୋଜନାରେ ସାମିଲ କରିବାକୁ ବ୍ଳକ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ କେଉଁ କାରଣରୁ ପ୍ରସ୍ତୁତ ହିତାଧିକାରୀଙ୍କ ତାଲିକାରେ ସେମାନଙ୍କ ନାଁ ସାମିଲ କରାଯାଇ ନାହିଁ ତାହା କହିପାରିବି ନାହିଁ ବୋଲି କହିଛନ୍ତି। ଏ ନେଇ ବ୍ଲକ୍ ଆବାସ ସଂଯୋଜକ ପବିତ୍ର ସାହୁଙ୍କୁ ପଚାରିବାରୁ କେବଳ ପ୍ରମିଳାଙ୍କ ଆବେଦନ ପତ୍ର ତାଙ୍କ ନିକଟରେ ପହଞ୍ଚିଥିବା ଓ ତାଙ୍କ ନାମ ପଞ୍ଜୀକୃତ କରାଯାଇଥିବା କହିଛନ୍ତି । ଅନ୍ୟ ସମସ୍ତେ ପଞ୍ଚାୟତରେ କିମ୍ବା ସିଧାସଳଖ ବ୍ଲକ୍ କାର୍ଯ୍ୟାଳୟରେ ଆବେଦନ କରନ୍ତୁ | ଯୋଜନାରେ ଥିବା ୧୨ଟି ମାପଦଣ୍ଡର ବିଚାର କରାଯାଇ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି।