HealthOdishaPoliticsSports

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମାଲକାନଗିରି, ୨୧/୬ : ଯୋଗ ଆମର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଯାହା ଶରୀର ଏବଂ ମନକୁ ସନ୍ତୁଳିତ କରେ ଏବଂ ବ୍ୟକ୍ତି ବିଶେଷଙ୍କୁ ଏକ ପରିପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଆଡକୁ ନେଇଯାଏ । ଯୋଗ ଶାରୀରିକ ଏବଂ ମାନସିକ ଭାବରେ ସଶକ୍ତ ନାଗରିକମାନଙ୍କୁ ଗଠନ କରି ଏକ ବିକଶିତ ଭାରତର ସାମୂହିକ ସ୍ବପ୍ନ ପୂରଣ ଦିଗରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରି ପାରିଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିଜର ମତ ଉପସ୍ଥାପନ କରିଛନ୍ତି। ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପିଏ ଆଇଟିଡିଏ ହଳଧର ଶବର ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଏହି ଯୋଗ ଶିବିରରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣକୁ ଭର୍ଚୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ
ଗ୍ରାମର ପ୍ରଧାନମାନଙ୍କୁ ସେମାନଙ୍କ ପଞ୍ଚାୟତ ଅଞ୍ଚଳର ନାଗରିକମାନଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ଏବଂ ଅନୁପ୍ରାଣିତ କରିଥିଲେ । ସେ ଯୋଗକୁ ସମଗ୍ର ଜୀବନର ଏକ ଅଂଶ କରିବା ନିମନ୍ତେ ନେତୃତ୍ୱ ନେବାକୁ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ । ଗ୍ରାମ ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ କୁ ଏକ ପ୍ରକୃତ ଜନ ଆନ୍ଦୋଳନରେ ପରିଣତ କରାଯାଇଛି । ଯୋଗ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିଛି । ଏହି ବର୍ଷର ବିଷୟ ବସ୍ତୁ – “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”– କେବଳ ବ୍ୟକ୍ତିଗତ କଲ୍ୟାଣ ଉପରେ ନୁହେଁ ବରଂ ମାନବଜାତି ମଧ୍ୟରେ ଏକତା, ପରିବେଶଗତ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି । ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଏହି ପଦକ୍ଷେପ ପ୍ରତି ଘରେ ପହଞ୍ଚିବ ଓ ଯୋଗକୁ ନିତି ଦିନିଆ ଜୀବନର ଏକ ଅଂଶ କରିବା ପ୍ରତି ବ୍ୟକ୍ତିକୁ ଅନୁପ୍ରାଣିତ କରିବ । ଉତ୍ସାହର ସହିତ ଆଜି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତର ସ୍କୁଲ, ଅଙ୍ଗନୱାଡି, ପଞ୍ଚାୟତ ଭବନ ଏବଂ ସାର୍ବଜନୀନ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଅଧିବେଶନ, ସାମୁଦାୟିକ ପ୍ରସାର କାର୍ଯ୍ୟ ଏବଂ ସାଧାରଣ ଯୋଗାଭ୍ୟାସ ପ୍ରଦର୍ଶନ କରାଯାଇଛି। ଏହି ଶିବିରରେ ଯୋଗର ବିଭିନ୍ନ ମୁଦ୍ରା ସହ ଶାନ୍ତି ମନ୍ତ୍ର ଓ ଶପଥ ପାଠ କରା ଯାଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ କର୍ମଚାରୀ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button