
ତୁରେକେଲା, ୨୧/6: ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାଯତ ଅନ୍ତର୍ଗତ ବାଞ୍ଜିପାଲି ଗାଁ କଲୋନୀ ପଡ଼ାରେ ପିଇବା ପାଣି ସମସ୍ୟା ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲୋନୀ ପଡ଼ାରେ ପ୍ରାୟ ୨୦୦ ଜଣରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି । ପଡ଼ବାସୀଙ୍କ ପାଇଁ ଥିବା ନଳକୂଅରୁ ପଥର ଗୁଣ୍ଡ ସହ ଫ୍ଲୋରାଇଡ ପାଣି ବାହାରୁଛି । ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ଯ ପାଣି ବୁନ୍ଦାଏ ମିଳୁ ନାହିଁ। ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ କଲୋନୀ ପଡ଼ାକୁ ପାଣି ମିଳୁନି।
ଲୋକେ ସରପଞ୍ଚ, ବିଭାଗୀୟ ଯନ୍ତ୍ରୀ ମିନତି ମହାରଣାଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏନେଇ ତୁରେକେଲା ବିଡିଓ ପୂର୍ଣାନନ୍ଦ ପଟେଲଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସରକାରୀ ଯୋଜନାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲା ପ୍ରଶାସନ ତୁରନ୍ତ ପଡ଼ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।