
ଭଞ୍ଜନଗର,୧୮/୬ : ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଧସେଇ ଖସିଛି ମାଟି ଅତଡା। ଫଳରେ ନିର୍ମାଣାଧୀନ ରାସ୍ତାର କିଛି ଅଂଶ ସହ ୨ ଟି ପ୍ରୋାକଲିନ୍ ମେସିନ ଘାଟି ତଳେ ଫସି ରହିଥିବା ସୂଚନା ମିଳିଛି। ଘଟଣାକୁ ୩ ଦିନ ବିତି ସାରିଥିଲେ ସୁଦ୍ଧା ଗାଡି ଗୁଡିକ ଉଦ୍ଧାର ହୋଇନି। କଳିଙ୍ଗା ଘାଟିର ଅନ୍ଧାରିକୋଟି ଠାରେ ଜାତୀୟ ରାଜପଥ ୧୫୭ ଉପରେ ସୁରକ୍ଷା ପାଚେରୀ ନିର୍ମାଣ ଚାଲିଥିଲା। ଗତ କିଛି ଦିନର ବର୍ଷା ଫଳରେ ମାଟି ଭୁଶୁଡିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଏଥିସହ ଏହି ନିର୍ମାଣ କାର୍ଯ୍ୟରେ ଲାଗିଥିବା ପ୍ରୋକଲିନ୍ ମେସିନ୍ ଗୁଡିକ ମାଟିରେ ଫସି ରହିଥିବା ବେଳେ ଏଥିରେ ନିୟୋଜିତ ଅନ୍ୟ ଏକ ଗାଡି ଉଦ୍ଧାର କରାଯାଇଛି। ତେବେ ବର୍ଷା ମଧ୍ୟ ମଝିରେ ମଝିରେ ଲାଗି ରହିଥିବାରୁ ମାଟି ପୁଣି ଖସୁଛି। ଲଗାଣ ବର୍ଷା ଜାରି ରହିଲେ ଘାଟି ରାସ୍ତା ପ୍ରତି ଆହୁରି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ମାଟିତଳେ ପାହାଡ ପାଣି ଯିବାକୁ ଥିବା ହୋସ ପାଇପ ମଧ୍ୟ ଦେଖାଯାଉଛି। ଗତବର୍ଷ ମଧ୍ୟ ଏଭଳି କାମ ଚାଲୁଥିବା ସମୟରେ ମାଟି ଭୁଶୁଡି ପଡିଥିଲା। ପରେ ଠିକା ସଂସ୍ଥା ଏହାକୁ ସଜାଡିଥିଲା। ପୁଣି ଗତ ସୋମବାର ଭୁଶୁଡି ପଡିଥିଲା। ବାରମ୍ବାର ଏଭଳି ଘଟୁଥିବାରୁ ଏହାର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସ୍ଥାନରେ ଯଦି ସଂପୂର୍ଣ୍ଣ ଭୁଶୁଡି ଯାଏ ତେବେ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡ଼ିଶାର ସଂଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିବ। ଗଞ୍ଜମ-କନ୍ଧମାଳ ଜିଲ୍ଲା ସୀମାରେ କଳିଙ୍ଗା ଘାଟି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛୋଟ ବଡ଼ ଯାନବାହାନ ଚଳାଚଳ କରୁଛି। ଏହି ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି । ତେଣୁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାକୁ ଚଉଡ଼ା କରୁଛନ୍ତି। ଘାଟିର ଅଧିକାଂଶ ଅଞ୍ଚଳ ଓସାର ହୋଇପଡିଥିବା ବେଳେ ଘାଟି ଉପରେ ଥିବା ଅନ୍ଧାର କୋଟ ମନ୍ଦିର ନିକଟ ରାସ୍ତା ସମ୍ପ୍ରସାରଣ ହୋଇପାରି ନଥିଲା। ସେଠାରେ ତଳୁ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲିଛି। ଦୀର୍ଘ ଫୁଟ ଉଚ୍ଚରେ ମାଟି ଏବଂ ପଥର ପକାଇ ଥାକଥାକ କରି ପୋତାଯାଉଛି। କିନ୍ତୁ ତାହା ନିର୍ମାଣ ସମୟ ଭିତରେ ହିଁ ସୁରକ୍ଷା ପାଚେରୀ ଦୁଇଥର ଭୁଶୁଡ଼ି ପଡିଲାଣି। ଫଳରେ ନିର୍ମାଣ କାମ କିଛି ଦିନ ବ୍ୟାହତ ମଧ୍ୟ ହେଉଛି। ସେହିଭଳି ମଙ୍ଗଳବାର ଭଞ୍ଜନଗର ତେବେ ବର୍ଷା କିଛି ସମୟ ବ୍ୟବଧାନରେ ହେଉଥିବାରୁ ପୁଣି ମାଟି ଅତଡା ଖସିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ବର୍ତ୍ତମାନ ମାଟି ଅତଡା ଖସିଥିଲେ ମଧ୍ୟ ମୁଖ୍ୟ ରାସ୍ତା ଠାରୁ ତଳକୁ ନିର୍ମାଣଧୀନ ସୁରକ୍ଷା ପାଚେରୀ ଠାରେ ମାଟି ଅତଡା ଖସିଥିବା ବେଳେ ଏବେ ଯାଏଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇନାହିଁ। ବୁଧବାର ଜାତୀୟ ରାଜପଥ ପ୍ରାଧିକରଣର ଏକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି।