
ଭଞ୍ଜନଗର,୧୮/୬ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାର୍ଡ ପକ୍ଷରୁ ରାଜ୍ୟ ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ପ୍ରତି ସ୍ଥାପନ କରିବାକୁ ଏକ ଦାବି ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ପ୍ରଦାନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଚିଠି ୬୧୩୩/୨୪.୪.୨୦୨୫ ପ୍ରକାରେ ପର୍ଯ୍ୟଟନ ବିଭାଗ ଘୁମୁସର ମାଟିର ବୀର ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଝିଗିରୀ, କର୍ମଭୂମି ଘାଟିଶୁଳା, ଚକ୍ରଘାଟି ଓ ବଡ଼ଗଡ଼ ଅଞ୍ଚଳ ତଥା ସୋରଡ଼ା ବ୍ଲକ୍ର ଘୁଷୁରିଡାଙ୍ଗ ଜଳଧାରା, ରୋଲା ଜଳଧାରା, କୁନ୍ଦନଳୀ ଜଳଧାରା ଓ ଫୁଲକାଶୁଣି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପାଇଁ ବିଭାଗୀୟ ଆଦେଶକୁ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ କାଯ୍ୟକାରୀ କରିବାକୁ ଦାବି କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ରାସ୍ତାକୁ ବୀର ବିଷୋୟୀ ମାର୍ଗ ନାମରେ ନାମିତ କରିବାକୁ ମଧ୍ୟ ଦାବି କରାଯାଇଛି। ଘୁମୁସର ଇଲାକାରେ ଅଞ୍ଚଳର ଅନ୍ୟତମ ବୀର ଯେଦ୍ଧା ଦୋରା ବିଷୋୟୀଙ୍କ ଏକ ପୂର୍ଣାବୟବ ମୂର୍ତ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।