BusinessDIstrictNationNawarangpurOdishaPolitics

ରାସ୍ତା ପାଇଁ ଭଙ୍ଗାଗଲା ପାଚେରି: ପାଣିରେ ପଡ଼ିଲା କୃଷି ବିଭାଗର ଲକ୍ଷାଧିକ ଟଙ୍କା

ଡାବୁଗାଁ,୧୬|୬: ଡାବୁଗାଁ କୃଷି ବିଭାଗ ପକ୍ଷରୁ ଗୋଟିଏ ପାଚେରି ନିର୍ମାଣ ପାଇଁ ବାରମ୍ବାର ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି। କୃଷି ବିଭାଗର ଏଭଳି ବେପରୁଆ କାର୍ଯ୍ୟ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି। ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଡାବୁଗାଁ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ୪୨ ଏକର ଧାନ ଜମି ରହିଛି। ଏହି ଜମିର ଚତୁପାର୍ଶ୍ଵରେ ବିଭାଗ ପକ୍ଷରୁ ବାଡ଼ ଓ ପାଚେରି ନିର୍ମାଣ କରାଯାଇଛି। ବିଶେଷ କରି ରାଜ୍ୟ ରାଜପଥରୁ ଅଙ୍ଗିନଦୀ ଶ୍ମଶାନ ପର୍ଯ୍ୟନ୍ତ ପ୍ରାୟ ୧ କିମି ଲମ୍ବର ପାଚେରି ରହିଛି। ନିମ୍ନମାନର କାର୍ଯ୍ୟ ତଥା ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବାରମ୍ବାର ଏହି ପାଚେରି ଭଙ୍ଗାଯାଇ ପୁଣି ନୂଆରେ ନିର୍ମାଣ କରାଯାଉଛି। ୨୦୨୦/୨୧ରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପାଚେରି ନିର୍ମାଣ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ୨ ବର୍ଷ ମଧ୍ୟରେ ପାଚେରି ନଷ୍ଟ ହୋଇଯାଇଥିଲା ପୁଣି ୨୦୨୩ ମସିହା ନଭେମ୍ବର ମାସରେ କୃଷି ବିଭାଗ ପକ୍ଷରୁ କୃଷି କାର୍ଯ୍ୟାଳୟରୁ ଅଙ୍ଗୀନଦୀ ଶ୍ମଶାନ ପର୍ଯ୍ୟନ୍ତ ୮ଲକ୍ଷ ୨୮ହଜାର ବ୍ୟୟରେ ପାଚେରି ନିର୍ମାଣ କରାଯାଇଥିଲା। କୃଷି ବିଭାଗ ପକ୍ଷରୁ ବେପରୁଆ ଭାବେ ଧାନ ଅମଳ ସମୟରେ ପାଚେରି ଭାଙ୍ଗି ନୂତନ

ପାଚେରି କାର୍ଯ୍ୟ କରାଯାଇଥିଲା। ଯାହାଫଳରେ ଧାନ ଜମିରେ ଗାଈଗୋରୁ ପଶି ଧାନ ଫସଲ ନଷ୍ଟ କରିଥିଲେ | ବର୍ତମାନ ପୂର୍ତ୍ତ ବିଭାଗ ତରଫରୁ ବିରିଶୋଲାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଥିବା ବେଳେ ୨୦୨୩ ମସିହାରେ କୃଷି ବିଭାଗ ଦ୍ବାରା ୮ଲକ୍ଷ ୨୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ପାଚେରି ଭଙ୍ଗାଯାଇଛି। କୃଷି ବିଭାଗ ପକ୍ଷରୁ ରାସ୍ତା ପାର୍ଶ୍ଵ ପାଚେରି ନିର୍ମାଣ ସମୟରେ ରାସ୍ତା ଚଉଡ଼ାକୁ ଧ୍ୟାନ ଦିଆ ନଯାଇ

କାର୍ଯ୍ୟ କରାଯିବାରୁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା । ବର୍ତ୍ତମାନ ଚାଷ କାମ ଆରମ୍ଭ ହୋଇଥିବା ବେଳେ କୃଷି ବିଭାଗର ୪୨ ଏକର ଧାନ ଚାଷ ପାଇଁ ତଳି ପକାଯିବା ଏପଟେ କୃଷି କାର୍ଯ୍ୟାଳୟରୁ ଅଙ୍ଗୀନଦୀ ଶ୍ମଶାନ ପର୍ଯ୍ୟନ୍ତ ଖୋଲାମେଲାରେ ରହିଛି। କୃଷି ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ଗୋଟିଏ ପାଚେରି ନିର୍ମାଣ ପାଇଁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା । ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button