
ଭଞ୍ଜନଗର,୧୧/୬ : ଭଞ୍ଜନଗର ମେଡିକାଲରେ ଗତ ମାର୍ଚ୍ଚ ମାସରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗର ଯାଞ୍ଚ ହୋଇଛି। ମୃତ ମହିଳା ଜଣକ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ(୩୨)। ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୯ ତାରିଖ ଦିନ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ପରିବାର ଲୋକେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ବୁଧବାର ଏନେଇ ଜିଲ୍ଲା ସ୍ବାସ୍ଥ ବିଭାଗର ଏକ ଟିମ୍ ଭଞ୍ଜନଗର ମେଡିକାଲରେ ପହଞ୍ଚି ହୋଇଥିବା ଅଭିଯୋଗର ତନ୍ନ ତନ୍ନ ଯାଞ୍ଚ କରି ଫେରିଛନ୍ତି। ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗର ଉପ ନିର୍ଦ୍ଦେଶିକା ଡା. ଭି.ସରୋଜିନୀ ଦେବୀ ଏବଂ ଡିଏଚ୍ଏଚର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡା.ସୁଚିତ୍ରା ସାହୁ ପୂର୍ବାହ୍ନରେ ମେଡିକାଲ୍ ରେ ପହଞ୍ଚି ମେଡିକାଲ ଅଧିକ୍ଷକଙ୍କ ସମେତ ମୃତ ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ,ପ୍ରସୂତି ବିଭାଗର ଷ୍ଟାପ୍ନର୍ସ,ଆଟେଣ୍ଡାଣ୍ଟ୍,ସୁଇପର ସହ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଏସଂର୍ପକରେ ପଚାରିଥିଲେ। ତେବେ ଯାଞ୍ଚ ରିପୋର୍ଟ ସେ ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରୁଥିବା ବେଳେ ସେଠାରେ ସେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ। ସୂଚନା ଅନୁଯାୟୀ,ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ଟିକିନା ସାମଲ ୬ ମାସର ଗର୍ଭବତୀ ଥିଲେ। ମାର୍ଚ୍ଚ ୨୬ ତାରିଖ ଦିନ ଅସୁସ୍ଥ ହୋଇ ପଡିବାରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ରକ୍ତ ଅଭାବ ଥିବା କହିବା ସହ ୨ ୟୁନିଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କ ପରିବାର ପକ୍ଷରୁ ରକ୍ତ ଯୋଗାଡ କରି ଦିଆଯାଇଥିଲା। ଦ୍ବିତୀୟ ୟୁନିଟ୍ ରକ୍ତ ଦେବା ପରେ ଟିକିନା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ନର୍ସଙ୍କୁ ଅବଗତ କରାଇଥିଲେ। ଏହା ପରଠୁ ଟିକିନା ଗୁରୁତର ହୋଇ ପଡିଥିବା ବେଳେ ଡାକ୍ତରଙ୍କୁ ମଧ୍ୟ ଅବଗତ କରାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମେଡ଼ିକାଲରେ ହିଁ ଟିକିନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା