
ତେନ୍ତୁଳିଖୁଣ୍ଟି :୯/୬ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରାଜନୀତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ସମୟରେ କୌଣସି ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଲେ ନାହିଁ। ଫଳରେ ବ୍ଲକ ଅଧ୍ୟକ୍ଷା ନୀଳେନ୍ଦ୍ରି ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା।
ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ବ୍ଳକର ୨୩ ଜଣ ସରପଞ୍ଚ ଓ ସମିତିସଭ୍ୟ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଭାବରେ ଜଣେଇଥିଲେ । ଏହାପରେ ମେ ମାସ ୨୩ ତାରିଖରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କ ସ୍ବାକ୍ଷର ଯାଞ୍ଚ ହୋଇଥିଲା। ଏହାରି ଭିତରେ ମଞ୍ଚାଗାଁ ସରପଞ୍ଚଙ୍କ ଦେହାନ୍ତ ହୋଇଥିବା ବେଳେ ୨୨ ଜଣଙ୍କ ମଧ୍ୟରୁ ୧୯ ଜଣ ସରପଞ୍ଚ ଓ ସମିତିସଭ୍ୟ ସ୍ବାକ୍ଷର ଯାଞ୍ଚ ସମୟରେ ଉପସ୍ଥିତ ଥିଲେ । ଏହା ପରଠୁ ଆରମ୍ଭ ହୋଇଥିଲା ରାଜନୀତି
ପୋଷାଖେଳା ଆଜି ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ସ୍ଥାନ ନିରୂପଣ ହୋଇଥିଲା। ପୂର୍ବାହ୍ନ ୧୧ ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ସମୟ ନିର୍ଧାରଣ ହୋଇଥିଲା। ହେଲେ କୌଣସି ସରପଞ୍ଚ ଓ ସମିତିସଭ୍ୟ ନିର୍ଧାରିତ ସମୟ ମଧ୍ୟରେ ଆସିନଥିବା ଯୋଗୁଁ ଅନାସ୍ଥା ଭୋଟିଂ ହୋଇପାରିଲା ନାହିଁ। ଯାହାଫଳରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା କାଟ ଖାଇଥିବା ବେଳେ ନିଳେନ୍ଦ୍ରୀ ନାୟକ ନିଜ ପଦବି ବଜାୟ ରଖିଛନ୍ତି। ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ପ୍ରିଜାଇଡିଂ ଅଫିସର ଦାୟିତ୍ବରେ ଥିବା ବେଳେ ବିଡିଓ ମନୋଜ କୁମାର ପାଣିଗ୍ରାହୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରାଧାକାନ୍ତ ରଣା ସହଯୋଗ କରିଥିଲେ। ଏନେଇ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣେଇ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ପ୍ରଣବ କୁମାର ଟୁଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁଲିସ ମୁତୟନ କରାଯାଇଥିଲା ।