
ଭଞ୍ଜନଗର,୦୯/୬: ଉତ୍ତର ଘୁମୁସୁର ବନଖଣ୍ଡ ତାରସିଂ ବନାଞ୍ଚଳର ଫରେଷ୍ଟର କଳାବଦନ ଦାସଙ୍କୁ ପିସିସିଏଫ୍ ୱାଇଲ୍ଡ ଲାଇଫ ପକ୍ଷରୁ ସବୁଜ ଯୋଦ୍ଧା ଭାବେ ଅଭିହିତ କରାଯାଇଛି । ଏନେଇ ସୋସିଆଲ ମିଡିଆ ଏକ୍ସ୍ ରେ ତାଙ୍କ ସଂର୍ପକରେ ଉଲ୍ଲେଖ କରି ସବୁଜ ଯୋଦ୍ଧା ଭାବେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରୀ ଦାସ ନିଜର ଉତ୍ସର୍ଗୀକୃତ ଯୋଗଦାନ ଦେଇଛନ୍ତି। ବୃକ୍ଷରୋପଣ ଏବଂ ଶିକାର ବିରୋଧୀ ଅଭିଯାନର ନେତୃତ୍ୱ ନେବା ଠାରୁ ଆରମ୍ଭ କରି ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପର୍ଯ୍ୟନ୍ତ, ତାଙ୍କର ପ୍ରତ୍ୟେକ ପ୍ରୟାସ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ସଫଳତା ଆଣି ଦେଇଛି।
ମାର୍ଚ୍ଚ ମାସରେ ଅଗ୍ନି ନିୟନ୍ତ୍ରଣ ଅଭିଯାନର ନେତୃତ୍ୱ ନେବା ସମୟରେ ଭାଲୁ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ, ସେ ସାହସ ଏବଂ ପ୍ରତିବଦ୍ଧତାର ସହିତ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଦୃଢ଼ ନେତୃତ୍ୱ ଏବଂ ଅକ୍ଳାନ୍ତ ସେବା ମାଧ୍ୟମରେ ଶ୍ରୀ ଦାସ ଆମ ସମସ୍ତଙ୍କୁ ପ୍ରକୃତିର ସୁରକ୍ଷା କରିବା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସକୁ ସମର୍ଥନ କରିବା ପାଇଁ ପ୍ରେରଣା ଦେଇଥାନ୍ତି ବୋଲି ପିସିସିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି। ସୂଚନା ଅନୁଯାୟୀ,ତାରସିଂ ବନାଞ୍ଚଳର ବ୍ରାହ୍ମଣ ସାହି ଜଙ୍ଗଲରେ ଗତ ମାର୍ଚ୍ଚ ୭ ତାରିଖରେ ନିଆଁ ଲାଗିଥିବା ଖବର ପାଇଁ ବନପାଳ କଳାବଦନ ଦାସଙ୍କ ନେତୃତ୍ବରେ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇଥିଲେ। ନିଆଁ ଲିଭାଇ ଫେରୁଥିବା ବେଳେ ଶ୍ରୀ ଦାସ ଏକ ଭାଲୁ ସହ ହଠାତ ମୁହାଁମୁହିଁ ହୋଇ ପଡିବାରୁ ଭାଲୁଟି ତାଙ୍କ ଡାହାଣ ହାତକୁ କାମୁଡିବା ସହ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡିଥିଲେ। ଯେନତେନ ଏକ ବାଉଁଶ ବୁଦାକୁ ଡେଇଁ ନିଜ ଜୀବନ ରକ୍ଷା କରିଥିବା ବେଳେ ସେଠାରେ ଥିବା ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଦୀର୍ଘ ସମୟ ଜଙ୍ଗଲ ପାହାଡ ରାସ୍ତା ଅତିକ୍ରମ କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ସେଠାରୁ ତାଙ୍କୁ ଭୂବନେଶ୍ବର ପଠାଯାଇଥିଲା। ସେଠାରେ ଚିକିତ୍ସା ସାରି ଫେରିବା ପରେ କାର୍ଯ୍ୟ ଯୋଗଦେଇ କାମ ଜାରି ରଖିଛନ୍ତି।