
ଡାବୁଗାଁ, ୭/୬: ଡାବୁଗାଁର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଏବେ ଅଳିଆ ଗଦାର ପାହାଡ଼ ହୋଇଛି। ଅତ୍ୟଧିକ ଅଳିଆ ଗଦା ହେବା ଯୋଗୁଁ ବିଦ୍ୟାଳୟର ପାଚେରି ଭାଙ୍ଗିଯାଇଛି। ଡାବୁଗାଁ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟାଳୟର ଏପରି ଦୂରାବସ୍ଥା ରହିଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ |
ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଅଛି ଏହି ସର୍ବପୂରାତନ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏହି ବିଦ୍ୟାଳୟ ମୁଖ୍ୟ ରାସ୍ତାକୁ ଲାଗି ରହିଥିବାରୁ ବିଦ୍ୟାଳୟରେ ପାଚେରି ନିର୍ମାଣ ହୋଇଛି। ପାଚେରିକୁ ଲାଗି ବିଦ୍ୟାଳୟର ଗୋଟିଏ ଭଙ୍ଗା ସରକାରୀ ବାସଗୃହ ସହ ଖେଳପଡ଼ିଆ ରହିଛି। ଦୀର୍ଘ ବର୍ଷ ହେଲା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ସରକାରୀ ବାସଗୃହ ବ୍ୟବହାର ନହେବାରୁ ଭାଙ୍ଗିଯିବା ସହ କବାଟ ଝରକା ସବୁ ଚୋରି ହୋଇସାରିଲାଣି। ଏହି ସରକାରୀ ଗୃହ ବର୍ତ୍ତମାନ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ ଗୃହକୁ ଲାଗି ଦୈନିକ ବଜାର ଥିବାରୁ ଦୈନିକ ବଜାରର ଅଳିଆ ଆବର୍ଜନା ସବୁ ବିଦ୍ୟାଳୟ ପାଚେରି ନିକଟରେ ଫିଙ୍ଗାଯାଉଛି। ପ୍ରତିଦିନ ଏହି ଅଳିଆ ବିଦ୍ୟାଳୟ ଭିତରେ ପଡି
ପାହାଡ଼ ସଦୃଶ୍ୟ ରହିଛି। ବିଦ୍ୟାଳୟ କତୃପକ୍ଷ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଉ ନଥିବାରୁ ଭଙ୍ଗା ସରକାରୀ ବାସଗୃହରୁ ବିଦ୍ୟାଳୟ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ଅଳିଆ
ଗଦା ହୋଇ ରହିଛି| ବର୍ଷା ପାଣି ଜମା ହୋଇ ପାଚେରି ଦୁର୍ବଳ ହେବା ସହ ଗତ ଲଗାଣ ବର୍ଷାରେ ବିଦ୍ୟାଳୟର ସମ୍ମୁଖ ଭାଗ ପାଚେରି ଭାଙ୍ଗିଯାଇଛି। ରାସ୍ତାକୁ ଲାଗି କୁଡ଼ କୁଡ଼ ଅଳିଆ ଆବର୍ଜନା ଥିବାରୁ
ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ସେହିପରି ଛାତ୍ରଛାତ୍ରୀ ଅଳିଆ ଆବର୍ଜନା ଯୋଗୁଁ ଦୀର୍ଘ ବର୍ଷ ହେଲା ଖେଳପଡ଼ିଆ ବ୍ୟବହାର କରୁନାହାନ୍ତି। ପ୍ରଶାସନ
ଏଥିପ୍ରତି ଦୃଷ୍ଟି ଦେଇ ଅବ୍ୟବହୃତ ସରକାରୀ ଗୃହକୁ ମରାମତି କରିବା ସହ ବିଦ୍ୟାଳୟ ପରିସରରୁ ଅଳିଆ ଆବର୍ଜନା ହଟାଇ ସୁସ୍ଥ ପରିବେଶ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।