
ତେନ୍ତୁଳିଖୁଣ୍ଟି, ୭/୬: ୧୯୯୫ ମସିହା ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ସହର ଝଲସି ଉଠୁଥିଲା। ଦିନ ତମାମ ସହର ମଧ୍ୟରେ ଗହଳି ଚହଳି ଲାଗି ରହୁଥିଲା । ପ୍ରକଳ୍ପ ପାଇଁ ନିର୍ମିତ ୧୨ ଶହ କ୍ୱାର୍ଟର୍ସ ତଥା କଲୋନି ମଧ୍ୟକୁ ନିର୍ମିତ ପିଚୁ ରାସ୍ତା ଚକାଚକ୍ ଦିଶୁଥିଲା। କଲୋନି ମଧ୍ୟରେ ଥିବା ସମସ୍ତ ରାସ୍ତାକୁ ଲାଗି ଡ୍ରେନ୍ ବି ନିର୍ମାଣ ହୋଇଥିଲା। ପ୍ରକଳ୍ପର ବିଭିନ୍ନ ବିଭାଗକୁ ଯିବା ରାସ୍ତା ଓ ଅଫିସ, ପାହାଡ଼ର ପାଦ ଦେଶରେ ନିର୍ମିତ ଉପର ବଙ୍ଗଳା, ତଳ ବଙ୍ଗଳା, ମଡେଲ ହସ୍ପିଟାଲ ଏବଂ ଷ୍ଟ୍ରିଟ୍ ଲାଇଟ୍ ଇନ୍ଦ୍ରାବତୀ ପ୍ରକଳ୍ପ ସହରର ଶୋଭାବର୍ଦ୍ଧନ କରୁଥିଲା ।
ହେଲେ ଆଜି ଆଉ ତାହା ଦେଖିବାକୁ ମିଳୁନି ସୌନ୍ଦର୍ଯ୍ୟର ସହର ଇନ୍ଦ୍ରାବତୀ ଆଜି ଶ୍ରୀହୀନ ହୋଇପଡ଼ିଛି। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ପ୍ରକଳ୍ପ କଲୋନି ରାସ୍ତା ଓ ଡ୍ରେନ୍ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା
ହେଲେ କଲୋନି ବାସିନ୍ଦାଙ୍କ ଘରେ ବର୍ଷା ଜଳ ପ୍ରବେଶ କରୁଛି ସେହିପରି କଲୋନି ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି| ଅଳ୍ପ ବର୍ଷା ହେବା ମାତ୍ରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ପ୍ରକଳ୍ପ କାର୍ଯ୍ୟାଳୟ ଅବସ୍ଥା ମଧ୍ୟ ଅନୁରୂପ ମରାମତି ଅଭାବରୁ ଛାତରୁ କଂକ୍ରିଟ୍ ବାହାରି ଛଡ଼ ଦେଖାଗଲାଣି। ତେଣୁ ପ୍ରକଳ୍ପ ଡାକ୍ତରଖାନା ଭୂତକୋଠିରେ ପରିଣତ ହୋଇଛି। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ରୋଗୀଙ୍କ ବିଶ୍ଵାସ ତୁଟିବାରେ ଲାଗିଛି। ଡାକବଙ୍ଗଳା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସର୍ବସାଧାରଣଙ୍କ ପରିସ୍ରା କରିବା ସ୍ଥାନ ପାଲଟିଛି। ଏହାକୁ ନେଇ ଜନ ଅସନ୍ତୋଷ ତେଜିବା ସହ କଲୋନି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ କଲୋନି ରାସ୍ତାର ଡ୍ରେନ୍ ମରାମତି ସାଙ୍ଗକୁ ଉପର ବଙ୍ଗଳାର ସୌନ୍ଦର୍ଯ୍ୟକରଣ କରି ପୂର୍ବ ସ୍ଥିତି ଫେରାଇ ଆଣିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।