BusinessOdishaPolitics

ଆବେଦନର ୪ ବର୍ଷ ପରେ ବି ମିଳୁନି ଆବାସ ଗୃହ

ନବରଙ୍ଗପୁର, ୭|୬ : ଆବାସ ଯୋଜନାରେ ପକ୍କା ଘର କିମ୍ବା ଘର ନିର୍ମାଣ ପାଇଁ ଜାଗା ଖଣ୍ଡିଏ ଯୋଗାଇଦେବାକୁ ବହୁବାର ଆବେଦନ କରିଥିଲେ । କିନ୍ତୁ ପ୍ରଶାସନ ତାଙ୍କର ଆବେଦନକୁ ଗୁରୁତ୍ବ ଦେଉନଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ନବରଙ୍ଗପୁର ସଦର ମହକୁମାର ବାସିନ୍ଦା ସ୍ବଗତ ତ୍ରିପୁରାରୀ ପାତ୍ରଙ୍କ ଦିବ୍ୟାଙ୍ଗ ପୁଅ ମଙ୍ଗଳା ପ୍ରସାଦ ପାତ୍ର। ବାରମ୍ବାର ଆବେଦନ ସତ୍ତ୍ବେ ତାଙ୍କୁ ଘର ନିର୍ମାଣ କରିବାକୁ ଜମି କିମ୍ବା ମୁଣ୍ଡ ଗୁଞ୍ଜିବା ପାଇଁ ଘର ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ମଙ୍ଗଳା କହିବା ଅନୁସାରେ, ୨୦୨୧ ମସିହା ଅକ୍ଟୋବର ମାସରେ ଆବାସ ଗୃହ ପାଇଁ ତତ୍କାଳୀନ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହାପରେ ତହସିଲଦାରଙ୍କୁ ତୁରନ୍ତ ଯାଞ୍ଚ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ତେବେ ଏଯାଏଁ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲାନି। ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ମଙ୍ଗଳା ରାଜ୍ୟ ସରକାରଙ୍କ

ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗ ନିକଟରେ ଆବେଦନ କରିଥିଲେ। ସେଠାରୁ ୨୦୨୪ ମସିହା ଏପ୍ରିଲରେ ଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ପଦକ୍ଷେପ ନେଇ ଦିବ୍ୟାଙ୍ଗ ମଙ୍ଗଳାଙ୍କୁ ବାସଗୃହ କିମ୍ବା ବାସଗୃହ ସକାଶେ ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନିର୍ଦ୍ଦେଶର ବର୍ଷେ ପରେ ବି କାର୍ଯ୍ୟକାରୀ ହୋଇପାରିନି। ମଙ୍ଗଳା ପ୍ରସାଦ ପାତ୍ର ୮୦ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି। ଏପରିକି ଦିବ୍ୟାଙ୍ଗ ଆଇଡି ବି ପାଇଛନ୍ତି। ଏହା ଦାଖଲ କରିବା ପରେ ବି ପ୍ରଶାସନ ତାଙ୍କୁ ଜମି ଦେଇନି। ସମାଜର ମୁଖ୍ୟସ୍ରୋତରେ ମାନସିକ ଅନଗ୍ରସରଙ୍କୁ ସାମିଲ କରାଯାଉ ବୋଲି ସରକାର କହୁଥିବା ବେଳେ ପ୍ରକୃତରେ ଏହା କାର୍ଯ୍ୟକାରୀ ହେଉନି ବୋଲି ଅଭିଯୋଗ କରିଛନ୍ତି ମଙ୍ଗଳା ପ୍ରଶାସନ ତୁରନ୍ତ ତାଙ୍କୁ ଘର କିମ୍ବା ବାସଗୃହ ପାଇଁ ଜମି ପ୍ରଦାନ ନକଲେ ସେ ଆତ୍ମଦାହ କରିବାକୁ ବାଧ୍ୟ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି ସେ କହିଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button