ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା
ନବରଙ୍ଗପୁର, ୧୮/୩: ନବରଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡୁଗୁଡ଼ା ଗାଁରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ଅପରିଚିତ ମାନସିକ ଭିନ୍ନକ୍ଷମ ବୃଦ୍ଧଙ୍କୁ ଗ୍ରାମବାସୀ ପିଟିପିଟି ହତ୍ୟା କରିଛନ୍ତି। ଦିବ୍ୟାଙ୍ଗ ବୃଦ୍ଧ ଗତକାଲି ରାତିରେ ଖଣ୍ଡୁଗୁଡ଼ା ଗାଁରେ ବୁଲାବୁଲି କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀମାନେ ତାଙ୍କ ଭୟଙ୍କର ଚେହେରାକୁ ଦେଖି ପିଲା ଚୋର ସନ୍ଦେହରେ ପିଟିପିଟି ହତ୍ୟା କରି ଦେଇଥିଲେ । ଏନେଇ ଟାଉନ୍ ଥାନା ପୁଲିସ ସୂଚନା ପାଇବା ପରେ ଖଣ୍ଡୁଗୁଡ଼ା ଗାଁକୁ ଯାଇ ମୃତଦେହ ଜବତ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲା। ମୃତକଙ୍କ ପରିଚୟ ମିଳି ନଥିବାରୁ ଶବକୁ ଡିଏଚଏଚର ଶବାଗାରରେ ରଖାଯାଇଛି। ତାଙ୍କର ପରିଚୟ ମିଳିଲେ କିମ୍ବା ପରିବାର ବର୍ଗ ଆସିଲେ ଶବ ହସ୍ତାନ୍ତର କରାଯିବ ନଚେତ ତିନିଦିନ ପରେ ପୁଲିସ ଶେଷକୃତ୍ୟ ସମ୍ପନ୍ନ କରିବ | ଘଟଣା ସଂପର୍କରେ ଖଣ୍ଡୁଗୁଡ଼ା ଗାଁର ୨୫ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଛି। ଏଥିସହ ଗାଁର କିଛି ଜଣଙ୍କୁ ଆଣି ପଚରାଉଚାରା ଚାଲିଥିବା ଥାନା ଅଧିକାରୀ କହିଛନ୍ତି।



