ଆର୍ଆଇଙ୍କୁ ମାଡ଼ ଘଟଣା: ପ୍ରତିପକ୍ଷଙ୍କ ପାଲଟା ଲାଞ୍ଚ ଅଭିଯୋଗ ଆଣିଛନ୍ତି

ଆର୍ଆଇଙ୍କୁ ମାଡ଼ ଘଟଣା: ପ୍ରତିପକ୍ଷଙ୍କ ପାଲଟା ଲାଞ୍ଚ ଅଭିଯୋଗ ଆଣିଛନ୍ତି
( ଓଡି଼ଶା ଷ୍ଟେଟ୍ ନ୍ୟୁଜ ରିପୋର୍ଟ ଦିଲ୍ଲୀପ ଖରା )କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲ ଅଧୀନରେ କାର୍ଯ୍ୟରତ ଆର୍ଆଇ ମଧୁସୂଦନ ଖେମୁଣ୍ଡୁଙ୍କୁ ମାଡ଼ ମାରାଯାଇଥିବା ଘଟଣାରେ ପ୍ରତିପକ୍ଷ କମଳଲୋଚନ ଖେମୁଣ୍ଡୁ ପାଲଟା ଭାବେ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ଗୁରୁବାର ସେ ନନ୍ଦପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ, ତାଙ୍କ ପୁଅଙ୍କ ଜାତି ପ୍ରମାଣପତ୍ର କରିଦେବା ପାଇଁ ଆର୍ଆଇ ମଧୁସୂଦନ ଖେମୁଣ୍ଡୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ପ୍ରଥମେ ୨ ହଜାର ଟଙ୍କା ଦେଇଥିବାବେଳେ ବାକି ୮ ହଜାର ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଏହା ପରେ ପ୍ରାୟ ଦୁଇ ମାସ ଧରି ତାଙ୍କୁ ବିଭିନ୍ନ ନିମିତ୍ତରେ ଦୌଡ଼ାଇ ଆସୁଥିବା ସେ ଅଭିଯୋଗ କରିଛନ୍ତି। ବୁଧବାର ଆର୍ଆଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ସହ ତାଙ୍କ ପୁଅଙ୍କ ଜାତି ପ୍ରମାଣପତ୍ର ଆବେଦନରେ ଧର୍ମାନ୍ତରୀକରଣ ଉଲ୍ଲେଖ କରି ରିପୋର୍ଟ ପ୍ରଦାନ କରିଥିବା ସେ ଏତଲାରେ କହିଛନ୍ତି।ଏହି ସମୟରେ କୋରାପୁଟ ଜିଲ୍ଲା ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାଜେନ୍ଦ୍ର ଧଡକା, ଜିଲ୍ଲା ସେକ୍ରେଟାରୀ, ନନ୍ଦପୁର ବ୍ଲକ ସଭାପତି ଗଙ୍ଗାଧର ଖରା, ସେମିଳିଗୁଡା ବ୍ଲକ ଡମ୍ବ ସମାଜ ସଭାପତି ନିରଞ୍ଜନ ଖିଲ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଘଟଣାର ସଠିକ୍ ତଦନ୍ତ କରିବାକୁ ଥାନାଧିକାରୀ ତ୍ରିନାଥ ତୋଟାପାଡ଼ଆଙ୍କୁ ସେମାନେ ଅନୁରୋଧ କରିଥିବା ସହ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିବେ ବୋଲି ସଚେତନ କରିଛନ୍ତି।ଅନ୍ୟପଟେ ଆର୍ଆଇ ମଧୁସୂଦନ ଖେମୁଣ୍ଡୁ ଲାଞ୍ଚ ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅନଲାଇନ୍ ଜାତି ପ୍ରମାଣପତ୍ର ଆବେଦନ ଆସିବା ପରେ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ସେ ଖିଲୁଆ ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ଗ୍ରାମବାସୀ ଓ ପଡ଼ୋଶୀଙ୍କ ସୂଚନା ଆଧାରରେ ଧର୍ମାନ୍ତରୀକରଣ ଉଲ୍ଲେଖ କରି ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ପରେ ତହସିଲଦାର ଆବେଦନପତ୍ରକୁ ନାକଚ କରିଥିଲେ।କିନ୍ତୁ କମଳଲୋଚନ ଓ ତାଙ୍କ ପରିବାର ଲୋକେ ବାରମ୍ବାର କାର୍ଯ୍ୟାଳୟକୁ ଆସି ରିପୋର୍ଟ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଥିବା ସେ କହିଛନ୍ତି। ସେ ଏହାକୁ ମନା କରିବାରୁ ପରିବାର ଲୋକେ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଆର୍ଆଇ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ଆର୍ଆଇଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ବେଦବର ସାହୁ ତଦନ୍ତ କରୁଛନ୍ତି। କମଳଲୋଚନଙ୍କ ଏତଲା ଉପରେ ମଧ୍ୟ ପୋଲିସ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏପରିସ୍ଥିତିରେ ଜିଲ୍ଲା ରାଜସ୍ୱ ନିରୀକ୍ଷକ କର୍ମଚାରୀ ସଂଘ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି।



