କୋରାପୁଟରେ ବ୍ୟାବସାୟିକ ଗ୍ୟାସ୍ ସଂକଟ କୋଇଲା ଓ କାଠ ଭରସା

କୋରାପୁଟରେ ବ୍ୟାବସାୟିକ ଗ୍ୟାସ୍ ସଂକଟ କୋଇଲା ଓ କାଠ ଭରସା
ଜୟପୁର, ୧୧/୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ଦେଖୁବାକୁ ମିଳିଛି କୋରାପୁଟ ଜିଲ୍ଲାରେ ଗ୍ୟାସ ଓ ପେଟ୍ରୋଲକୁ ନେଇ ଏକ ପ୍ରକାର ଭାଳେଣି ପଡ଼ିଯାଇଛି । ବାଇକ କିମ୍ବା ଗାଡ଼ିରେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଗଲେ କେତେ ଲିଟର ଦେବାକୁ ପଡ଼ିବ ତାକୁ ନେଇ ମାଲିକଙ୍କ ସହ କର୍ମଚାରୀମାନେ ଆଲୋଚନା କରୁଛନ୍ତି । ଅପରପକ୍ଷେ ଗ୍ୟାସ ବୁକିଙ୍ଗ କଲେ ପୂର୍ବ ଭଳି ଓଟିପି ଆସୁନି। ବ୍ୟାବସାୟିକ ଅନୁଷ୍ଠାନରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମିଳିବା କଷ୍ଟକର ହେଲାଣି। ଏହାସହ ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ପରିବାର ଅସୁବିଧାର ସମ୍ମୁଖୀନ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ଆଜି ବହୁ ଗ୍ୟାସ ଏଜେନ୍ସି ସମ୍ମୁଖରେ ଗ୍ୟାସ ପ୍ରକୃତରେ ମିଳିବ କି ନାହିଁ ତାହା ଜାଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମିଥିଲା । ଏପରି ସ୍ଥିତିକୁ ଦେଖ୍ ଲୋକେ କୋଇଲା ଓ ଜାଳେଣି କାଠ ସଂଗ୍ରହ କରିବା ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ଅଧିକାଂଶ ଲୋକଙ୍କ ଘରେ ଇଣ୍ଡକ୍ସନ ଚୂଲା ଥିଲେ ମଧ୍ୟ ଅଧିକ ବିଦ୍ୟୁତ୍
ବିଲ ମଧ୍ଯ ଚିନ୍ତାର କାରଣ।
ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ନମିଳିବା ଭୟରେ ଅନେକ ରାସ୍ତାକଡର ଉଠା ଦୋକାନୀ ଓ ରେଷ୍ଟୁରାଣ୍ଟ ମାଲିକଙ୍କ ବ୍ୟବସାୟ ବନ୍ଦ ହୋଇଯିବା ଆଶଙ୍କା ଉପୁଜିଲାଣି I ଆସନ୍ତା ଦୁଇଦିନ ମଧ୍ୟରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବିକ୍ରି ବନ୍ଦ କରିବାକୁ ଜୟପୁରର ଗ୍ୟାସ ଏଜେନ୍ସି ମାଲିକମାନେ ଗ୍ରାହକମାନଙ୍କୁ କହି ସାରିଲେଣି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗ୍ୟାସର ଉତ୍କଟ ଅଭାବ ଅନୁମାନ କରି ଆଗୁଆ ଜାଳେଣି କାଠ ଗଚ୍ଛିତ କରି ରଖିବାକୁ ଲୋକେ ଉଦ୍ୟମ ଚଳାଇଛନ୍ତି । କାଠ ଓ କୋଇଲା କିପରି ଓ କେଉଁଠୁ ପାଇବେ ସେନେଇ ଲୋକେ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ବିକ୍ରି ବନ୍ଦ ନେଇ ସରକାରୀ ଭାବେ ଜିଲ୍ଲା ଯୋଗାଣ ବିଭାଗକୁ କୌଣସି ପତ୍ର ଆସି ନାହିଁ। ଗ୍ୟାସ ଓ ପେଟ୍ରୋଲର କଳାବଜାରୀକୁ ରୋକିବା ପାଇଁ ଜିଲ୍ଲାରେ ଏକ ସ୍ବତନ୍ତ୍ର ଦଳ ତଦାରଖ କରୁଥିବା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଏମ. ମହାପାତ୍ର ପ୍ରକାଶ କରିଛନ୍ତି ।
ଗୋବିନ୍ଦ ତ୍ରିପାଠୀ ,ନବରଙ୍ଗପୁର



