ବୋରିଗାଁରେ ପାରମ୍ପରିକ ମଣ୍ଡେଇ ଯାତ୍ରା

ବୋରିଗାଁରେ ପାରମ୍ପରିକ ମଣ୍ଡେଇ ଯାତ୍ରା
ଡାବୁଗାଁ, ୯/୩: ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁରେ ଆଦିବାସୀଙ୍କ ପାରମ୍ପରିକ ମଣ୍ଡେଇ ଯାତ୍ରା ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଗ୍ରାମର ଦେବାଦେବୀ, ଲାଠି, କୁର୍ସୀ, ଶିରା, ଗାଉଁଟିଆ ବୋରିଗାଁର ଠାକୁରାଣୀ ଗୁଡ଼ିରେ ଏକତ୍ରିତ ହୋଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଦେବାଦେବୀ ବିଭିନ୍ନ ଆଭୂଷଣ ପରିଧାନ କରି ବାଦ୍ୟବାଜଣାରେ ସାପ୍ତାହିକ ହାଟ ପରିକ୍ରମା କରିଥିଲେ । ପରେ ସମସ୍ତ ଦେବାଦେବୀ ଗର୍ଦ୍ଦନ ଭଟ୍ଟା ଠାରେ ରହିଥିଲେ । ସେଠାରେ କାସିନୀ ଦେବଙ୍କ ପାଖରେ ଦେବାଦେବୀ ନୃତ୍ଯର ତାଳେ ତାଳେ ଝୁମିଥିଲେ | ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ନିଜ ଦେବାଦେବୀଙ୍କୁ ଅତି ନିକଟରୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମର ଦେବାଦେବୀ ସହ କୋଷାଗୁମୁଡ଼ା, ଝରିଗାଁ ଓ ପଡ଼ୋଶୀ ଛତିଶଗଡ଼ରୁ ଲାଠି, କୁର୍ସୀ, ପାଲିଙ୍କି ଆସିଥିଲା। ବୋରିଗାଁ ସହ ଆଖପାଖ ଗ୍ରାମର ଦେବାଦେବୀ ସାମିଲ ହୋଇଥିଲେ । ଲୋକଙ୍କ ମନୋରଞ୍ଜନ ପାଇଁ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ବହୁ ବ୍ୟବସାୟୀ ଆସି ପସରା ମେଲାଇଥିଲେ। ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଯାତ୍ରା ପରିଚାଳନା କମିଟି ତଥା ବୋରିଗାଁ ସରପଞ୍ଚ ଶୁକୁ ଭତରା, ଲକ୍ଷ୍ମଣ ପନକା, କୁର୍ଷ ପନକା, ଢଲିଆ କଲାର, ସୁକାଲୁ ପୂଜାରୀ, ସୁକମନ ପୂଜାରୀ, ଈଶ୍ବର ଭତରା ଓ ସନାଧର ସହ ଅନ୍ୟମାନେ ଉପସ୍ଥିତ ଥିଲେ ।



