ପୁକାଲି ହାଟରେ ଚାରିଛକ ରାସ୍ତା ସମସ୍ୟା, ଷ୍ଟଲ୍ ହଟାଇବାକୁ ତହସିଲଦାରଙ୍କ ନୋଟିସ୍

ପୁକାଲି ହାଟରେ ଚାରିଛକ ରାସ୍ତା ସମସ୍ୟା, ଷ୍ଟଲ୍ ହଟାଇବାକୁ ତହସିଲଦାରଙ୍କ ନୋଟିସ୍
(ରିପୋର୍ଟ ଦିଲ୍ଲୀପ ଖରା ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍) କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ପୁକାଲି ପଞ୍ଚାୟତର ହାଟପଦା ନିକଟରେ ଥିବା ଚାରିଛକ ରାସ୍ତା ଅତ୍ୟନ୍ତ ସଙ୍କୁଚିତ ଓ ଅସୁବିଧାଜନକ ଅବସ୍ଥାରେ ରହିଥିବାରୁ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି। NH-26 ରାସ୍ତା ଦେଇ ରାଲେଗଡା ପଟୁ ଆସୁଥିବା ଯାନବାହନ ଓ ଆନ୍ଧ୍ର ପଟୁ ସମ୍ପାଇ ମାର୍ଗ ଦେଇ ଆସୁଥିବା ଗାଡ଼ିଗୁଡିକୁ ସେଠାରେ ଘୁରିବାକୁ ବହୁ କଷ୍ଟ ସମ୍ମୁଖୀନ ହେବାକୁ ପଡ଼ୁଛି।ରାସ୍ତାର ଗୋଟିଏ ପାର୍ଶ୍ୱରେ କିଛି ଲୋକ ନିଜ ଜୀବିକା ନିର୍ବାହ ପାଇଁ ଅସ୍ଥାୟୀ ଷ୍ଟଲ୍ ପକାଇଥିବାରୁ ରାସ୍ତା ଅଧିକ ସଙ୍କୁଚିତ ହୋଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଉକ୍ତ ଛକକୁ ଖାଲି କରି ଏଠାରେ ଭାରତର ସଂବିଧାନ ନିର୍ମାତା ବାବାସାହେବ ଡଃ ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପଟ୍ଟାଙ୍ଗୀ ବିଧାୟକଙ୍କ ପ୍ରତିନିଧି ଅର୍ଜୁନ ବାଙ୍କା ସ୍ଥାନୀୟ ତହସିଲଦାରଙ୍କୁ ଅନୁରୋଧ କରିଥିଲେ।ଆଜି ତହସିଲଦାର ମହୋଦୟ ଆର୍ଆଇ ଓ ସୁପରଭାଇଜରଙ୍କ ସହ ପୁକାଲି ଗ୍ରାମକୁ ପହଞ୍ଚି ସ୍ଥିତିର ନିରୀକ୍ଷଣ କରିଥିଲେ। ଏହି ସମୟରେ ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କାଙ୍କ ନେତୃତ୍ୱରେ ସାଂସଦ ପ୍ରତିନିଧି ଶୁକ୍ରା ଖରା, ଯୁବ କଂଗ୍ରେସ ଉପସଭାପତି ଅଭି ଲବଡୁ ବାରିକ, ଡମ ସମାଜ ସଂଯୋଜକ ମହେଶ୍ୱର ଜୟପୁରିଆ, ସୁନାଧର ପେଦାପେଲି, ଗାଙ୍ଗୁଲ ବାଙ୍କା ସହ ପୁକାଲି, ସମ୍ଭାଇ ଓ ଚନ୍ଦକା ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ, ଯୁବକ ଓ ଛାତ୍ରମାନେ ଉପସ୍ଥିତ ଥିଲେ।ସମସ୍ତେ ମିଶି ଏହି ମହତ୍ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବା ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତହସିଲଦାର ମହୋଦୟ ଷ୍ଟଲ୍ ପକାଇଥିବା ଲୋକମାନଙ୍କୁ ନୋଟିସ୍ ଜାରି କରି ଏକ ସପ୍ତାହ ମଧ୍ୟରେ ଷ୍ଟଲ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରି ତହସିଲଦାର ଓ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।



