ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବ ରୁ ଡ। କ୍ଟର ନିଯୁକ୍ତି ଦ।ବି
ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଡାକ୍ତର ନିଯୁକ୍ତି ଦାବି

ନବରଙ୍ଗପୁର ଜିଲ୍ଲାରେ ୩୯୫ଜଣ ସ୍ଥାନରେ ଅଛନ୍ତି ୨୨୨ ଡାକ୍ତର
ନବରଙ୍ଗପୁର, ୧୪/୨ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ପ୍ରସ୍ତାବିତ ମେଡିକାଲ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ତେବେ ମେଡିକାଲ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ନବରଙ୍ଗପୁର ଭଳି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ଟରଙ୍କ କ୍ୟାଟେଗରି ପରିବର୍ତ୍ତନ ଓ ପ୍ରୋତ୍ସାହନ ରାଶି ପ୍ରଦାନର ତାରତମ୍ୟ ଦୂର କରିବା ସହ ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର, ଡାକ୍ତର ଓ ଅନ୍ୟ ବୈଷୟିକ କର୍ମଚାରୀ ପଦବି ପୂରଣ କରିବାକୁ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କାର୍ଯ୍ୟରତ ଡାକ୍ତରମାନେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। କେବିକେ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ସରକାର ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଭି୧, ଭି୨,
ଭି୩ ଓ ଭି୪ କ୍ୟାଟେଗରି ଲାଗୁ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ କେବଳ ଭି୧ ଓ ଭି୨ ରହିଛି। କିନ୍ତୁ ପଡ଼ୋଶୀ କୋରାପୁଟ ଜିଲ୍ଲାରେ ସମସ୍ତ ସୁବିଧା ସୁଯୋଗ ଥିବା ସତ୍ତ୍ବେ
ଭି୩ ଓ ଭି୪ରେ ସାମିଲ କରିଛନ୍ତି। କୋରାପୁଟ ଜିଲ୍ଲାରେ କାମ କରିଲେ ଡାକ୍ତରଙ୍କୁ ୩୦ରୁ ୪୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ନବରଙ୍ଗପୁର
ଜିଲ୍ଲାରେ ଡାକ୍ତରଙ୍କୁ ମାତ୍ର ୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ତେଣୁ ଜିଲ୍ଲାର ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଭଳି ଦୁର୍ଗମ ଅଞ୍ଚଳରେ କାମ କରିବାକୁ ଡାକ୍ତରମାନେ ଅନିଛୁକ ହେଉଛନ୍ତି।
ଏସବୁ ପ୍ରତିବନ୍ଧକ ହଟାଇବା ସହ ଡାକ୍ତର ନିଯୁକ୍ତି ଦେବା ପାଇଁ ଓମସା ଜିଲ୍ଲା ସମ୍ପାଦକ ଡ.ଦଶରଥ ନାଗ, ସମାଜସେବୀ କାଦମ୍ବିନୀ ତ୍ରିପାଠୀ,
ଆଇନଜୀବୀ ସନ୍ତୋଷ ମିଶ୍ର, ତପନ ଦେବନାଥ ଦାବି କରିଛନ୍ତି। ସେହିପରି ଜିଲ୍ଲାରେ ୫୦ ପିଏଚସି ଓ ସିଏଚସିରେ ୩୯୫ ଜଣ ଡାକ୍ତରଙ୍କ ସ୍ଥାନରେ ୨୨୨ ଜଣ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭ଜଣ ଡାକ୍ତରଙ୍କ ସ୍ଥାନରେ ୩୩ ଓ ୬୮ଜଣ ବିଶେଷଜ୍ଞ ସ୍ଥାନରେ ୧୮ ଡାକ୍ତର ଅଛନ୍ତି। ସେଥିରୁ ପୁଣି ୧୦ ଜଣ ଲମ୍ବା ଛୁଟିରେ ଅଛନ୍ତି। ଏଥିସହ ୱିଙ୍ଗ ଏଡମିନିଷ୍ଟ୍ରେଟିଭ୍ ଅଫିସର ୮ ବଦଳରେ ୪, ଫର୍ମାସିଷ୍ଟ ୭୦ ସ୍ଥାନରେ ୩୦, ନସିଂ ଅଫିସର ୬୨୪ ସ୍ଥାନରେ ୩୦୧ ଜଣ ଅଛନ୍ତି। କିଛି ବିଶେଷଜ୍ଞ ଡାକ୍ତର ପୋଣ୍ଟିଂ ପରେ ବି ଜଏନ୍ ନ କରି ଲମ୍ବା ଛୁଟିରେ ଅଛନ୍ତି| ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଡାକ୍ତର ସମସ୍ୟା ସହ ଅନ୍ୟ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ କହିଛନ୍ତି।



