District
ରାଜ୍ୟରେ ବ୍ୟାଙ୍କ ଧର୍ମଘଟ: ୩୭ ହଜାର କର୍ମଚାରୀ ସାମିଲ, ଚେକ୍ କ୍ଲିୟରିଂ, ନଗଦ କାରବାର ବାଧାପ୍ରାପ୍ତ,୧୦ ହଜାର କୋଟିର କାରବାର ପ୍ରଭାବିତ

ଭୁବନେଶ୍ବର: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଅଧୀନରେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ୮ ଲକ୍ଷରୁ ଅଧିକ କର୍ମଚାରୀ ଏହାର ଅଂଶ ହୋଇଥିବା ବେଳେ ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେଇଛନ୍ତି। ଧର୍ମଘଟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିଛି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଥିରେ ସାମିଲ ହୋଇଥିବା ବେଳେ କିଛି ଘରୋଇ ବ୍ୟାଙ୍କ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଦେଇଛନ୍ତି। ଆନ୍ଦୋଳନ କରୁଥିବା କର୍ମଚାରୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ଖୋଲାଥିବା ଘରୋଇ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କର ଶାଖାଗୁଡ଼ିକୁ ବନ୍ଦ କରାଉଛନ୍ତି। ଏହାର ପ୍ରଭାବରେ ବ୍ୟାଙ୍କ ସେବା ଗୁରୁତର ପ୍ରଭାବିତ ହୋଇଛି।



