ଗାଲେରୀ ରେଞ୍ଜରେ ୨୪ ଟିକିଆ ହାତୀପଲର ଉପଦ୍ରବ
ଗାଲେରୀ ରେଞ୍ଜରେ ୨୪ ଟିକିଆ ହାତୀପଲର ଉପଦ୍ରବ 
ବ୍ୟାପକ ଫସଲ ନଷ୍ଟ ସହ ଭାଙ୍ଗିଲେ ଘର୍
ଭଞ୍ଜନଗର,୧୨/୧୨ :ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ପ୍ରାୟତଃ ହାତୀପଲଙ୍କ ଚଳ ପ୍ରଚଳ ରହିଥିବା ବେଳେ ବର୍ତ୍ତମାନ ଗାଲେରୀ ବନାଞ୍ଚଳରେ ଅଧିକାଂଶ ହାତୀ ରହିଥିବା ଜଣାପଡିଛି। ଏକ ୨୪ ପଟିଆ ହାତୀପଲ ମୁଜାଗଡ ବନାଞ୍ଚଳରେ କିଛି ଦିନ ରହିବା ପରେ ଏବେ ଗାଲେରୀ ବନାଞ୍ଚଳ ମୁହାଁ ହୋଇଛନ୍ତି। ଉକ୍ତ ବନାଞ୍ଚଳର ବଦାଙ୍ଗୀ ଦୋମୁହାଁଣୀ ଆଦି ଇଲାକାରେ ଚଳପ୍ରଚଳ କରୁଥିବା ବେଳେ ଗୋଟିଏ ପଲରେ ୨୨ ଟି ଏବଂ ଆଉ ଦୁଇଟି ସେମାନଙ୍କ ପାଖାପାଖି ବୁଲୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ହାତୀପଲ ଜମିରେ ପଶି ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରୁଥିବା ଅଭିଯୋଗ ହେଉଛି। ବନ ବିଭାଗ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀଙ୍କୁ ଘଉଡାଉଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୋମୁହାଁଣୀ ଗ୍ରାମ ଠାରୁ କିଛି ଦୂର ଗାଲେରୀ ରେଞ୍ଜରର ନବାବିଝୋଳା ନିକଟରେ ହାତୀପଲ ଚାଷ ଜମିରେ କୃଷି କାର୍ଯ୍ୟ ପାଇଁ ନିର୍ମାଣ ହୋଇଥିବା ଏକ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ସପ୍ତାହ ଧରିହାତୀଙ୍କ ଚଳପ୍ରଚଳ ରହିଥିବା ବେଳେ ଗତ ରାତିରେ ପାଚିଲା ଧାନ ବାସ୍ନାରେ ହାତୀପଲ ଆସିବା ସହ ଘର ଭାଙ୍ଗିଥିବା ଅନୁମାନ କରାଯାଉଛି। ଏଠାରେ ଦୋମୁହାଁଣୀ ଗ୍ରାମର ଦୈତାରୀ ସେଠୀଙ୍କ ପରିବାର ଦୀର୍ଘ ବର୍ଷ ଚାଷ କାର୍ଯ୍ୟ କରିବା ସହ ଘର ତିଆରି କରିଥିଲେ। ତାକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ତଦନ୍ତ ହେବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।