ସଫଳ ଉଦ୍ୟୋଗୀ ରଶ୍ମିତା

ସଫଳ ଉଦ୍ୟୋଗୀ ରଶ୍ମିତା
ଧାନ ବ୍ୟବସାୟ ଓ ସିଲେଇ କାମ ଦେଇଛି
୫/୧୧ : କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳେ। ନିଷ୍ଠାପର କାର୍ଯ୍ୟ କେବେ ବୃଥା ଯାଏନି। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ତେନ୍ତୁଳିଖୁଣ୍ଡି ବ୍ଲକ ଅଞ୍ଚଳଗୁମ୍ଫା ଗ୍ରାମର
ରଶ୍ମିତା ପ୍ରଧାନୀ । ସିଲେଇ କରିବା ସହ ଧାନ ବ୍ୟବସାୟ କରି ନିଜେ ରୋଜଗାରକ୍ଷମ ହୋଇ ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ଫା ଗ୍ରାମର ରଶ୍ମିତା ପ୍ରଧାନୀ ସିଲେଇ ତାଲିମ ନେଇ ରୋଜଗାର କରିବାର
ଜିଜ୍ଞାସା ରହିଥିଲା। ସେ ୨୦୧୭ ମସିହାରେ ୧୦ ଜଣ ମହିଳାଙ୍କୁ ନେଇ ମା ମଙ୍ଗଳା ସ୍ବୟଂ ସହାୟକ ଦଳ ଗଠନ କରିଥିଲେ। ସମସ୍ତ ମହିଳା ମାସିକ ଶହେ ଟଙ୍କା ଲେଖାଏଁ ସଞ୍ଚୟ କରିବା ଆରମ୍ଭ କରି ଆଗକୁ କିଛି କରିବାର ସ୍ଵପ୍ନ ଦେଖିଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଆଣି ୧୦ଟି ସିଲେଇ ମେସିନ୍ କିଣିଥିଲେ। ସମସ୍ତ ମହିଳା ସିଲେଇ କରି ବ୍ୟବସାୟ ଆରମ୍ଭ କରିଥିଲେ | ସେହିପରି ୨୦୨୩ ମସିହାରୁ ଲ୍ୟାମ୍ପସ ଜରିଆରେ ଚାଷୀଙ୍କ ଠାରୁ ଧାନ କିଣି ବ୍ୟବସାୟ ଆରମ୍ଭ କରିଛନ୍ତି| ବାର୍ଷିକ ୬ରୁ ୮ ଲକ୍ଷ ଟଙ୍କାର କାରବାର ମା ମଙ୍ଗଳା ସ୍ବୟଂ ସହାୟକ ଦଳର ମହିଳାମାନେ କରି ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସିଲେଇ କରିବା ସହ ବିଭିନ୍ନ ବିଦ୍ୟାଳୟକୁ ୟନିଫର୍ମ ସପ୍ଲାଇ କରୁଛନ୍ତି । ଏହାଦ୍ବାରା ମା ମଙ୍ଗଳା ସ୍ବୟଂ ସହାୟକ ଦଳର ମହିଳାମାନେ ମାସିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଆଗକୁ ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳିଲେ ଆମ ସ୍ବୟଂ ସହାୟକ ଦଳ ବହୁତ ଆଗକୁ ଯିବ ଏବଂ ଅନେକ ମହିଳାଙ୍କ ରୋଜଗାର ବୃଦ୍ଧି ହୋଇପାରିବ ବୋଲି ରଶ୍ମିତା କହିଛନ୍ତି ।