ବାଇପାସ ରୋଡ୍ ପ୍ରକଳ୍ପ, ନକ୍ସ। ଅନୁମୋଦିତ
ବାଇପାସ୍ ରୋଡ୍ ପ୍ରକଳ୍ପ, ନକ୍ସା ଅନୁମୋଦିତ
କୋରାପୁଟ,୨୩/୧୦: ସହରବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି। ମେଣ୍ଢାଗୁଡ଼ା ଛକରୁ ମାନବର, ରେଳିକୁମ୍ଭା, ଚିନ୍ଦ୍ରୀ ଦେଇ ଭବାନୀନଗରରେ ବାହାରିବ ନୂଆ ବାଇପାସ ରାସ୍ତା। ସହରରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଏଡାଇବା ପାଇଁ ଖୁବ୍ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ ହେବ। ବାଇପାସ୍ ରସ୍ତା ପ୍ରକଳ୍ପ ଏବଂ ନକ୍ସା ଅନୁମୋଦିତ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ । ଏଥିପାଇଁ ବିଧାୟକ ଶ୍ରୀ ମାଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୂଚନାଥାଉକି, ସହରରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସହର ଭିତରେ ଯାଇଛି ୨୬ ନମ୍ବର ଜାତୀୟ ରାଜପଥ। ପ୍ରତିଦିନ ଭାରୀଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ସହରବାସୀ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ବୈଠକ କରାଯିବା
ସତ୍ତ୍ଵେ ପ୍ରକଳ୍ପ ଆଗେଇ ପାରୁ ନଥିଲା। ବାଇପାସ୍ ରାସ୍ତା ନିର୍ମାଣ କରିବା ବିଧାୟକ ଶ୍ରୀ ମାଛଙ୍କ ଗୁରୁତ୍ୱ ଦେଇଥିଲ। ଜିଲ୍ଲା ପ୍ରଶାସନ ଏବଂ ବିଧାୟକଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ନୂଆ ନକ୍ସାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା। ବିଧାୟକ ଶ୍ରୀ ମାଛ ନିଜେ ଗତ ଜୁଲାଇ ମାସରେ ଦିଲ୍ଲୀ ଯାଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଭେଟି ବାଇପାସ୍ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାଇପାସ୍ ରାସ୍ତା ପ୍ରକଳ୍ପ ଏବଂ ନକ୍ସା ଅନୁମୋଦନ ପାଇଁ ଦିଲ୍ଲୀରେ ଜାତୀୟ ରାଜପଥ ପ୍ରାଧିକରଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଇପାସ ରାସ୍ତା ପ୍ରକଳ୍ପ ଏବଂ ନକ୍ସା ଅନୁମୋଦନ ହୋଇଥିଲା ବୋଲି ବିଧାୟକ ଶ୍ରୀ ମାଛ କହିଛନ୍ତି । ବିଧାୟକ ଶ୍ରୀ ମାଛଙ୍କ ଉଦ୍ୟମରେ ବାଇପାସ୍ ରାସ୍ତା ପ୍ରକଳ୍ପ ଆଗେଇଥିବାରୁ ସହରବାସୀ କୃତଜ୍ଞତା ଜଣାଇଛନ୍ତି।