ବ।ଇକ ଦୁର୍ଘଟଣାରେ ଯୁବକ ମୃତ, ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା
ବାଇକ ଦୁର୍ଘଟଣାରେ ଯୁବକ ମୃତ
ଡାବୁଗାଁ,ତା-୬୧୦
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ କାରାଗାଁ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଡାବୁଗାଁ ଥାନା ଶିଂସାରୀ ଫାଣ୍ଡି ଅଧୀନ ଧୋଡ୍ରା-ଶିଂସାରୀ ମୁଖ୍ୟରାସ୍ତାରେ ବି ଏସ.ପଦର ଗ୍ରାମର ତୁଳସୀରାମ ଗଣ୍ଡ (୨୮) ଓ ଗ୍ରାମର ବୁଦୁରାମ ଶବର (୩୨) ଶୁକ୍ରବାର ସନ୍ଧ୍ୟାରେ ବି.ଏସ.ପଦର ଗ୍ରାମରୁ ମୋଟରସାଇକେଲ ନଂ ଓଡି ୨୪ ଜି ୫୦୬୩ ଯୋଗେ କାରାଗାଁ ଗ୍ରାମକୁ ଯାଉଥିବା ସମୟରେ କାରାଗାଁ ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ ନଂ ଓଡି ୨୪ ଏଫ ୯୨୧୪ ଦ୍ରୁତ ଗତିରେ ଆସି ଧକ୍କା କରି ଚାଲିଯାଇଥିଲା। ଫଳରେ ୨ ଜଣ ଆହିତ ହୋଇଥିଲେ। ସ୍ଥାନୀୟ ଲୋକେ ୨ ଜଣ ଆହତମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ରାତ୍ରିରେ ତୁଳସୀରାମ ଗଣ୍ଡଙ୍କ ମୃତ୍ୟୁ ଘଟିଥିଲା । ପରେ ବୁଦୁରାମ ଶବରଙ୍କର ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ନେଇ ମୃତ ତୁଳସୀରାମ ଗଣ୍ଡ ଙ୍କ ବାପା ଦେବ ଗଣ୍ଡ ଶନିବାର ପୂର୍ବାହ୍ନରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିଭି କରି ଶନିବାର ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଥାନା କେସ ନଂ ୨୦୦/୨୫ ରେ ଏକ ମାମଲା ରୁଜୁ କରାଯାଇଛି।
ବିଷପିଇ ମହିଳାଙ୍କ ଆତ୍ମହତ୍ୟା
ଡାବୁଗାଁ,ଡା-୬/୧୦
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ରାବଣାଗୁଡା ଗ୍ରାମରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଡାବୁଗାଁ ବ୍ଲକ ଅଧୀନ ଗୋଦାମା ଗ୍ରାମର ଫୁଲମତି ଭତ୍ରା (୪୦) ।
ସୂଚନା ଅନୁଯାୟୀ, ଗତ ୧୮ ବର୍ଷ ତଳେ ରାବଣାଗୁଡା ଗ୍ରାମର ବନସିଂ ଭତ୍ରାଙ୍କ ପୁଅ କୁଶ ଭତ୍ରାଙ୍କୁ ଫୁଲମତୀ ବିବାହ କରିଥିଲେ। ତାଙ୍କର ୪ ଟି ସନ୍ତାନ ରହିଛି। ସେ ବହୁ ଦିନହେଲା ମାନସିକ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଫୁଲମତି ବିଷ ପିଇ ଦେଇଥିଲେ ॥ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ମୃତକ ର ବଡ ଭାଇ ସନଧର ଭତ୍ରା ଡାବୁଗାଁ ଥାନା ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଥାନା ଏସଆଇ ବିକ୍ରମ କିଶୋର ସାହୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।