ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ ନେଇ ସ୍ୱତନ୍ତ୍ର ଶିବିର

ମାଲକାନଗିରି, ୧୯/୯: ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର ତଳସାହି ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା ।
ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ ଏବଂ ୬୦ ଜଣ ଛାତ୍ରଛାତ୍ରୀ ଆଡିମିଶନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଧାରୁ ପାଠ ଛାଡିଥିବା ପିଲା ଓ ଅଭିଭାବକ ମାନଙ୍କୁ ପୁଣି ଥରେ କିପରି ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବେ, ଅଭିଭାବକମାନେ କିପରି ସେଥିପ୍ରତି ଯତ୍ନବାନ ହେବେ ବୁଝାଇଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜନ ଶିବିର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ମୁକ୍ତ ବିଦ୍ୟାଳୟର ଜିଲ୍ଲା ସଂଯୋଜକ ସନ୍ଦୀପ ଦାସ ମୁକ୍ତ ବିଦ୍ୟାଳୟରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଓ ନିୟମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲା ପ୍ରକଳ୍ପ କାର୍ଯ୍ୟଳୟ ଯୋଜନା ସଂଯୋଜିକା ବିଜୟ ଲକ୍ଷ୍ମୀ ଚୌଧୁରୀ, ପିରାମଲ ଫାଉଣ୍ଡେସନର ସଦସ୍ୟ ବିକାଶ କୁମାର ଗୁପ୍ତା, ବ୍ଲକ ମୁକ୍ତ ବିଦ୍ୟାଳୟ ସଂଯୋଜକ ବିଷ୍ଣୁ ପ୍ରସାଦ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଆଡିମିଶନ କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ଜିତେନ୍ଦ୍ର ତ୍ରିପାଠୀ, ସରୋଜ ସାହୁ, ଜନାର୍ଦ୍ଧନ ତାଣ୍ଡି ପରିଚାଳନା କରିଥିଲେ ।