କଳିଙ୍ଗା ଘାଟିରୁ ରାସ୍ତା ଉଦ୍ଧାର କାର୍ଯ୍ୟ ଆରମ୍ଭ

ଭଞ୍ଜନଗର, ୧୭/୯ : ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଘଟିଥିବା ଭୂସ୍ଖଳନ ଘଟଣାର ଚିତ୍ର ବହୁତ ଭୟଙ୍କର। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଘାଟିର ପାଦ ଦେଶରୁ ପ୍ରାୟ ୩ କିମି ଉପରେ ରହିଥିବା ଏକ ଝରଣା ନିକଟରେ ମାଟି ଅତଡା ଓ ବଡ ବଡ ପଥର ଖଣ୍ଡ ମଙ୍ଗଳବାର ଅପରାହ୍ନ ୩ ଟାରେ ଖସି ରାସ୍ତାରେ ଥିବା କଲଭର୍ଟକୁ ଧୋଇ ନେବା ସହ ବଡ ବଡ ପଥର ସବୁକୁ ଧୋଇ ନେଇ ଯାଇଥିଲା।
ଆଉ ରାସ୍ତା ଉପରେ ୫୦ ମିଟର ଲମ୍ବା ପଥର ଜମା ହୋଇ ରହିଛି। ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଉଭୟ ପଟେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରାଯାଇଛି। ଉଭୟ ପଟେ ଉଦୟଗିରି ଓ ଭଞ୍ଜନଗର ପୁଲିସ ପକ୍ଷରୁ ବନ୍ଦ କରାଯାଇଛି। ତଥାପି କିଛି ବ୍ୟକ୍ତି ବିପଦପୂର୍ଣ୍ଣ ଭାବେ ଉକ୍ତ ସ୍ଥାନ ଆଜି ସକାଳୁ ଦେଖିବାକୁ ଯାଇଥିଲେ।
ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇଥିଲା। ଗତକାଲି ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ପୁଣି ମାଟି ଅତଡା ଖସିବାର ଭୟ ମଧ୍ୟ ଲାଗି ରହିଥିଲା। ଆଜି ପାଗ ଅନୁକୂଳ ହେବା ପରେ ରାସ୍ତାକୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ୪ ଟି ପ୍ରୋାକଲିନ୍ ମେସିନ୍ ସାହାର୍ଯ୍ୟରେ ଉଭୟ ପଟୁ ରାସ୍ତା ଉପରେ ଜମା ହୋଇ ରହିଥିବା ପଥରକୁ ବାହାର କରିବା କାର୍ଯ୍ୟ ଆରମ୍ଭ ହୋଇଛି।
୨-୩ ଦିନ ମଧ୍ୟରେ ଉଭୟ ପଟକୁ ସଂଯୋଗ କରିବା ପାଇଁ ରାସ୍ତା ସଫା କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ରାସ୍ତା ବାହାର ହେଲେ ବି ତାହା ସାଧାରଣ ଯାତାୟତ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ଠାରୁ କନ୍ଧମାଳ ଜିଲ୍ଲା ସହ ବ୍ରହ୍ମପୁର ଓ ଭଞ୍ଜନଗର ମଧ୍ୟରେ ସିଧା ସଳଖ ସଂଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଫଳରେ ଗଞ୍ଜାମ ଜିଲ୍ଲା ଆଡୁ ଜି.ଉଦୟଗିରି,ରାଇକିଆ,ବାଲିଗୁଡା ଭଳି ଅଞ୍ଚଳକୁ ଗାଲେରୀ ବଦାଙ୍ଗି ଦେଇ କନ୍ଧମାଳ ଜିଲ୍ଲାର ଚକାପାଦ ଦେଇ ଗାଡି ଗୁଡିକ ଯାତାୟତ କରୁଛି।
ଭୂସ୍ଖଳନ ଠାରୁ କିଛି ଦୂର ଅନ୍ଧାରୀ କୋଟ ନିକଟରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଜୁନ୍ ମାସରେ ନିର୍ମାଣଧୀନ ରାସ୍ତାର ଗୋଟିଏ ଅଂଶ ମାଟି ଧସି ଯାଇଥିଲା। ପୁଣି ଚଳିତ ମାସରେ ଏକ ବିରାଟ ପଥର ରାସ୍ତା ଉପରକୁ ମାଡି ଆସି ଯାତାୟତ ବାଧାପ୍ରାପ୍ତ ହୋଇଥିଲା।