ନଷ୍ଟ ହୋଇ ଗଲ।ଣି ପାତ୍ରପୁଟ ର ଲୁହ। ବ୍ରିଜ୍
ନଷ୍ଟ ହୋଇଗଲାଣି ପାତ୍ରପୁଟ ଲୁହ। ବ୍ରିଜ୍
୩ ଥର ଟେଣ୍ଡର ପରେ ବି ନୂଆ ସେତୁ କାମ ନୋହିଲା
ଜୟପୁର,୧୪/୯: ୯୪ ବର୍ଷ ତଳେ ପାତ୍ରପୁଟ ନିକଟ କୋଲାବନଦୀରେ ନିର୍ମିତ ଲୁହା ବିଜ୍ ଏବେ ବିପଦରେ । ବିଭିନ୍ନ ସ୍ଥାନରେ ବାହାରି ପଡ଼ିଛି ଲୁହା ରଡା଼ । ରାସ୍ତା ନଷ୍ଟ ହୋଇ ଗାତ ହୋଇଯାଇଛି । ଯିବାଆସିବାରେ ନାନା ସମସ୍ୟା ହେଉଛି।
ତଥାପି ଏହାର ରକ୍ଷଣାବେକ୍ଷଣ ଦିଗରେ ନିଆଯାଉନି କୌଣସି
ପଦକ୍ଷେପ। ଅନ୍ୟପକ୍ଷରେ ବ୍ରିଟିଶ ଅମଳର ଏହି ଲୁହା ବ୍ରିଜ
ନିକଟରେ ନୂଆରେ ଆଉ ଏକ ସେତୁ ନିର୍ମାଣ ଲାଗି ୩ ବର୍ଷ
ତଳେ ପଦକ୍ଷେପ ନେଇଥିଲା ଜାତୀୟ ରାଜପଥ ବିଭାଗ। ଟେଣ୍ଡର ପରେ କାମ ଆରମ୍ଭ କରିଥିଲା। କୌଣସି କାରଣରୁ କାମ ଆଗେଇ ପାରି ନଥିବାରୁ ଠିକାସଂସ୍ଥା ସହ ଚୁକ୍ତି ବାତିଲ କରିଥିଲା ବିଭାଗ। ଏଭିତରେ ୫ ମାସ ବିତିଯାଇଛି। ଅଥଚ କାମ କିଭଳି ହେବ, ସେ ଦିଗରେ କାହାରି ନିଘା ନାହିଁ ।
ଡଙ୍ଗରଛିଞ୍ଚି ପଞ୍ଚାୟତର ପାତ୍ରପୁଟ ନିକଟ ଦେଇ ଯାଇଛି କୋଲାବ ନଦୀ । ବୈପାରିଗୁଡା ଓ ଲମତାପୁଟ ଅଞ୍ଚଳକୁ ସଂଯୋଗ ଲାଗି ନଦୀଉପରେ ବ୍ରିଟିଶ ଅମଳରେ ଅର୍ଥାତ୍ ୧୯୩୧ରେ ଲୁହା ପୋଲ ନିର୍ମାଣ ହୋଇଥିଲା। ୯୪ ବର୍ଷ ତଳର ଏହି ପୋଲ ଦେଇ ପ୍ରତିଦିନ ହଜାର ହଜାର ଭାରୀଯନା ଚଳାଚଳ କରୁଛି । ଫଳରେ ଦିନକୁ ଦିନ ଏହା ଦୁର୍ବଳ ହେବାରେ ଲାଗିଛି।
ଅନେକ ସ୍ଥାନରୁ ଲୁହାଗୁଡିକୁ ଦୁର୍ବୃତ୍ତମାନେ ନେଇଗଲେଣି। ବ୍ରିଜର ରାସ୍ତା ନଷ୍ଟ ହୋଇ ଗାତ ହୋଇଗଲାଣି। ପୂର୍ବରୁ ଏହା ପୂର୍ବ ବିଭାଗ ଅଧୀନରେ ଥିଲା। ପରବର୍ତି ସମୟରେ ଏହା ଜାତୀୟରାଜପଥ ଅଧୀନକୁ ଆସିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାପରେ ଜାତୀୟରାଜପଥ ବିଭାଗ ପକ୍ଷରୁ ୩ ବର୍ଷ ତଳେ ପଦକ୍ଷେପ ନିଅଯାଇଥିଲା । ପଶ୍ଚିମଦିଗରେ ନଦୀ ଉପରେ ବିକଳ୍ପ ସେତୁ ନିର୍ମାଣ ଲାଗି ଯୋଜନା କରାଯାଇଥିଲା । ୧୨୦୦ ମିଟର
ଲମ୍ବା ରାସ୍ତାରେ ସେତୁର ଲମ୍ବ ୧୭୫ ମିଟର କରିବାକୁ ଡିଜାଇନ
ପ୍ରସ୍ତୁତ ହୋଇଥିଲା। ଏଥିଲାଗି ୨୪ କୋଟି ୩୩ ଲକ୍ଷ ଟଙ୍କା
ବ୍ୟୟଅଟକଳ କରାଯାଇଥିଲା। ବିଭିନ୍ନ କାରଣରୁ ୨ଥର ଟେଣ୍ଡର ବାତିଲ ହୋଇଥିଲା। ତୃତୀୟଥରକୁ ଛତିଶଗଡ଼ ବିଳାସପୁରର ଠିକାଦାର ବ୍ରଜେଶ ଅଗ୍ରୱାଲ ୧୮ କୋଟି ୭୦ ଲକ୍ଷ ଟଙ୍କାରେ ଟେଣ୍ଡର ଧରିଥିଲେ। ୨୦୨୨ ନଭେମ୍ବର ୧୧ ତାରିଖରେ ଚୁକ୍ତି କରିଥିଲେ ଠିକାଦାର ଶ୍ରୀ ଅଗ୍ରୱାଲ । ୨ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ସର୍ଭ ରହିଥିଲା। ବିଭିନ୍ନ କାରଣନ୍ତୁ କାମରେ ଅବହେଳା କରିଥିଲା ଠିକାସଂସ୍ଥା। ବାରମ୍ବାର ନୋଟିସ ପରେ କାମ ନକରିବାରୁ ୫ ମାସ ତଳେ ଚୁକ୍ତି ବାତିଲ କରିଥିଲା ଜାତୀୟ ରାଜପଥ ବିଭାଗ। ଅଥଚ ନୂଆ ସେତୁ ନିର୍ମାଣ ଲାଗି ବିଭାଗ ପକ୍ଷରୁ ଆଉ ଟେଣ୍ଡର ହୋଇନଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି।
ବିଭାଗୀୟ ଯନ୍ତ୍ରୀ କହିଛତି, ନୂଆ ସେତୁ ନିର୍ମାଣ ଲାଗି ପୁଣିଥରେ ଟେଣ୍ଡର ହେବ । ଏହା ପୂର୍ବରୁ ଏକ ବେସରକାରୀ ସଂସ୍ଥା ଦ୍ୱାରା ଏହାର ନୂଆ ବ୍ୟୟ ଅଟକଳ କରାଯାଇଛି । ଏହା ମଞ୍ଜୁର ହେଲେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। କେତେ ଟଙ୍କାର ବ୍ୟୟଅଟକଳ ହୋଇଛି ଜଣାପଡିନି ।