ରାଜ୍ୟପାଳଙ୍କ ବଣ୍ଡାଘାଟି ପରିଦର୍ଶନ
ବଣ୍ଡାଘାଟିର ବିକାଶ ଓ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ମାଲକାନଗିରି, ୧୦/୯: ଆଜି କୋରାପୁଟ ଠାରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. କମ୍ଭମପାଟି କୋରାପୁଟରୁ , ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପଲ୍ଲୀ ଠାରେ ପହଞ୍ଚିବା ପରେ ତାଙ୍କୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରନ ରାଜ୍ୟପାଳଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳା କୁ ପାଛୋଟି ନେଇଥିଲେ ।
ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ଗସ୍ତ କରିଥିଲେ । ଘାଟିରେ ପହଞ୍ଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇ ଫୁଲ ମାଳ ଦେଇ ପବିତ୍ର ସୀତାକୁଣ୍ଡ ଓ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ବିକାଶ କିପରି କରାଯିବ ସେଥି ପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ ହୋଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ବଣ୍ଡା ଦକ୍ଷତା ବିକାଶ,ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଙ୍କାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଆଦିମ ବଣ୍ଡା ଜନଜାତିଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ।
ସେହିପରି ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ୍, ଜଙ୍ଗଲ ଜମି ପଟ୍ଟା, ୮୦ ବର୍ଷରୁ ଉର୍ଦ୍ଧ୍ବ ପେନସନ ହିତାଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଯୁବ ସ୍ଵେଚ୍ଛାସେବୀ ଓ ଲକ୍ଷପତି ଦିଦି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ସେହିପରି ୧୫ ଜଣ ଆଦିମ ବଣ୍ଡା ଓ ୧୧ ଜଣ ଡିଡ଼ାୟୀ ସମ୍ପ୍ରଦାୟର ହିତାଧିକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଜଣେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ହଜାରେ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।
କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ମଧ୍ଯ ବଣ୍ଡା ଜନଜାତି ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି ଏବଂ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସଂମ୍ପୃକ୍ତ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡା ଘାଟିର ବିକାଶ ପ୍ରତି ଗୁରୁତ୍ୱ ଦେଵା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଵା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ସୁଫଳ ଏବଂ ଜଙ୍ଗଲ ଜମି ପଟ୍ଟା କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପକୃତ ହୋଇଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ ।
ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇସ୍କୁଲ ପରିଦର୍ଶନ କରି ଶିକ୍ଷା ଦାନ କିପରି ହେଉଛି, ବିଦ୍ୟାଳୟ ର ଭିତ୍ତିଭୂମି ଏବଂ ସୁବିଧା ଅସୁବିଧା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ ।