BhanjanagarDistrictOdisha

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ ହରିଣ ଶିଙ୍ଗ ଓ କଙ୍କାଳ ଜବତ

ଭଞ୍ଜନଗର,୦୯/୦୯ : ବନ୍ୟଜନ୍ତୁକୁ ଦେଶୀ ବନ୍ଧୁକରେ ଶିକାର କରିବା ପରେ ତାର ମାଂସ,ଚମଡା,ଦାନ୍ତ,ଶିଙ୍ଗ ଆଦିକୁ ବେଆଇନ ଭାବେ ବିକ୍ରି କରୁଥିବା ଜଣେ ଶିକାରୀକୁ ଆଜି ତାରସିଂ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁରୁଡୁପଲ୍ଲୀର ଗ୍ରାମର ସନିଆ ମଲ୍ଲିକ(୫୫)।

ପୁଲିସ୍ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ମୃତ ହରିଣର ମୁହଁର କଙ୍କାଳ ଜବତ କରିଥିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ୍ ଅଧିକାରୀ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି।

ତାରସିଂ ଥାନା ଇଲାକାର ଚନ୍ଦ୍ରଗିରି ଜଙ୍ଗଲରୁ ଏଭଳି ଅବାଧ ବନ୍ୟଜନ୍ତୁ ଶିକାର ହେଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ସୂଚନା ପହଞ୍ଚିବା ପରେ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ତାରସିଂ ପୁଲିସ୍ ପକ୍ଷରୁ ଶିକାରୀଙ୍କୁ କାବୁ କରିବା ପାଇଁ ପେଟ୍ରୋଲିଂ କଡାକଡି କରାଯାଇଥିଲା।

ଏହି ପରିପ୍ରେକ୍ଷିରେ ଥାନା ଏସ୍ଆଇ ସମୀର କୁମାର ବେହେରା ମାଙ୍କଡକୁମ୍ପା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଅଭିଯୁକ୍ତ ସନିଆ ଏକ ଦେଶୀ ବନ୍ଧୁକ ନେଇ ରାସ୍ତାରେ ଯାଉଥିବା ଦେଖି ତାକୁ ଅଟକାଇଥିଲେ। ପଚରା ଉଚୁରା କରିବା ପରେ ଦୁଇ ମାସ ପୂର୍ବରୁ ସେ ଏକ ହରିଣ ଶିକାର କରି ୨ଟି ଶିଙ୍ଗ ଚନ୍ଦ୍ରଗିରି ଜଙ୍ଗଲ ଭିତରେ ଲୁଚାଇ ରଖିଥିବା କଥା ପୁଲିସ୍ କୁ କହିଥିଲା।

ଏହାପରେ କେସ୍ ନମ୍ବର ୩୩୭/୨୫ରେ ଏକ ମାମଲା ରୁଜୁ କରି ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଅଭିଯୁକ୍ତ ସନିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ,ଏସ୍ଆଇ ସମୀର କୁମାର ବେହେରା ଉପସ୍ଥିତ ରହିଥିଲେ

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button